ଜାତିସଙ୍ଘରେ ଋତୁସ୍ରାବ ଛୁଟି ପାଇଁ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ନିବେଦନ

ମିଳିତ ଜାତିସଂଘ ସମ୍ମିଳନୀରେ ଋତୁସ୍ରାବ ସମୟରେ କର୍ମଜୀବୀ ମହିଳାଙ୍କ ପାଇଁ ସବୈତନ ଛୁଟିପାଇଁ ଦାବି କରିଛନ୍ତି ସମ୍ବଲପୁରୀ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ।

କେନ୍ୟୁଜ୍: ସମାଜରେ ପୁରୁଷମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ମହିଳାମାନେ ବି ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିସାରିଲେଣି । ସମୟ ବଦଳିଛି ଆଉ ତାସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ନିଜ ଅଧିକାର ପାଇଁ ନିଜେ ଲଢୁଛି ।

ଏହାରି ଭିତରେ ଜାତି ସଙ୍ଘରେ ସମଗ୍ର ନାରୀ ଜାତି ପାଇଁ ସ୍ୱର ଉଠାଇଛନ୍ତି ଜଣେ ଓଡିଆ ଝିଅ । ଋତୁସ୍ରାବ ଛୁଟି (ପେଡ୍ ପିରିୟଡ୍ ଲିଭ୍ )ପାଇଁ ଏହି ଓଡ଼ିଆ ଝିଅ କରିଛନ୍ତି ନିବେଦନ । ମିଳିତ ଜାତିସଂଘ ସମ୍ମିଳନୀରେ ଋତୁସ୍ରାବ ସମୟରେ କର୍ମଜୀବୀ ମହିଳାଙ୍କ ପାଇଁ ସବୈତନ ଛୁଟିପାଇଁ ଦାବି କରିଛନ୍ତି ସମ୍ବଲପୁରୀ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ମିଳିତ ଜାତସଂଘ ସିଭିଲ୍ ସୋସାଇଟି କନ୍ ଫରେନ୍ସ ୨୦୨୪ ରେ ଋତୁସ୍ରାବ ସମୟରେ ଦେୟ ମୁକ୍ତ ଛୁଟି ପାଇଁ ସେ ସ୍ୱର ଉଠାଇଛନ୍ତି । ମେ ୯ରୁ ୧୦ ନାଇ ରୋବିରେ ଅନୁଷ୍ଠିତ ସମ୍ମାନ ଜନକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲେ ।

ଏହି ଅବସରରେ ନରୱେ ଆମ୍ବାସଡର ଗୁନ୍ନାର ଆଣ୍ଡ୍ରେସ,ଜାତିସଂଘ ସଂଯୋଜକ ଷ୍ଟିଫେନ ଲେମନ୍, ଜାନିବ ହୱା ଙ୍କ ସମେତ ମିଳିତ ଜାତିସଂଘର ବିଶିଷ୍ଟ ବ୍ୟକ୍ତିତ୍ଵଙ୍କ ସହିତ ଏହାକୁ ନେଇ ଆଲୋଚନାର ସୁଯୋଗ ପାଇଛନ୍ତି । ରଞ୍ଜିତା ଦୀର୍ଘ ଦିନ ହେବ ଋତସ୍ରାବ ସମୟରେ ମହିଳାଙ୍କ ଛୁଟି ପାଇଁ ଦାବି କରି ଆସୁଛନ୍ତି । ବିଶ୍ୱର ଅନେକ କୋଟି କୋଟି ମହିଳା କର୍ମକ୍ଷେତ୍ରରେ ଋତସ୍ରାବ ସମୟରେ ପାଉଥିବା ଶରୀର ପୀଡ଼ା ଏନେଇ ମହିଳାଙ୍କ ସ୍ୱରକୁ ରଞ୍ଜିତା ଉପସ୍ଥାପିତ କରିଥିଲେ।

ରଞ୍ଜିତା ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଟି ଦେଶ ପ୍ରତିନିଧି ଏବଂ ଓଡ଼ିଶା ସମେତ ୧୯ଟି ରାଜ୍ୟର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ମିଳିବା ଉଚିତ୍ ବୋଲି ରଞ୍ଜିତା ମତ ଦେଇଛନ୍ତି ।

ଆଜି ମହିଳା ସଶକ୍ତ । ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି । କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି । ନାରୀ ସର୍ବଂସହା, ଜଗତ ଜନନୀ । ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତି କ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.