Below header

ମହାରାଷ୍ଟ୍ର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର, ୨ ମହିଳାଙ୍କ ସମେତ ୩ ନକ୍ସଲ ସଫା

ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଭାମରାଗଡ଼ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି । ନିହତ ନକ୍ସଲମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ।

ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଭାମରାଗଡ଼ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି । ନିହତ ନକ୍ସଲମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ପୋଲିସ ଜଣେ ପୁରୁଷ ଏବଂ ଦୁଇ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛି ।

ଗଡ଼ଚିରୋଲି ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଏଠାରେ ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇସାରିଛି ।

ତେବେ ଗୁଳି ବିନିମୟ ବନ୍ଦ ହେବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ଗୋଟିଏ AK-47 ରାଇଫଲ, ଗୋଟିଏ କାର୍ବାଇନ୍ ଗନ୍‌ ଏବଂ ଗୋଟିଏ INSAS ରାଇଫଲ ଜବତ କରିଛନ୍ତି । ଏହି ଏନ୍‌କାଉଣ୍ଟରରେ ନିହତ ଜଣେ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି । ସେ ହେଲେ ପେରିମିଲି ଦଲମର ପ୍ରଭାରୀ କମାଣ୍ଡର ବାସୁ । ଏନକାଉଣ୍ଟର ପରେ ପୋଲିସ ନକ୍ସଲମାନଙ୍କ ଅସ୍ତ୍ରଶସ୍ତ୍ର ବ୍ୟତୀତ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଛି ।

ସେପଟେ ଛତିଶଗଡ଼ରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି । ଗତ ଶୁକ୍ରବାର ବିଜାପୁରରେ ୧୨ ଘଣ୍ଟା ଧରି ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ୧୨ ନକ୍ସଲଙ୍କୁ ନିପାତ କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ପୃଥକ୍‌ ଗୁଳି ବିନିମୟରେ ଏବେ ସୁଦ୍ଧା ୧୦୪ ନକ୍ସଲ ନିହତ ହୋଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ଶନିବାର ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨୫ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଶାନ୍ତି ପୁନେମ୍‌ ନାମ୍ନୀ ମହିଳା ଗଙ୍ଗାଲୁର ଥାନା ଅଧୀନ ମଲୁର ଗାଁ ନିକଟରେ କେନ୍ଦୁ ପତ୍ର ଗୋଟାଉଥିଲେ । ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁନେମ୍‌ କାମରେ ବ୍ୟସ୍ତ ଥିବାବେଳେ ହଠାତ୍‌ ତାଙ୍କ ଗୋଡ଼ ପ୍ରେସର ଆଇଇଡି ଉପରେ ପଡ଼ିଯାଇଥିଲା ।

କହି ରଖୁଛୁ ଯେ ବିଜାପୁର, ବସ୍ତର ଆଦି ଅଞ୍ଚଳରେ ପ୍ରାୟତଃ ପାଟ୍ରୋଲିଂ ବେଳେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍‌ କରିବା ପାଇଁ ନକ୍ସଲମାନେ ସଡ଼କ, ପକ୍କା ରାସ୍ତା ଏବଂ ଜଙ୍ଗଲରେ ଆଇଇଡି ଲଗାଇ ଥାଆନ୍ତି । ଅତୀତରେ ମଧ୍ୟ ବସ୍ତରର ଅନେକ ଲୋକ ନକ୍ସଲ ଆକ୍ରମଣର ଶିକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.