Below header

ତତଲା କଡେଇଇରେ ଭାଜି ହେଉଛି ତାଳଚେର: ଅସହ୍ଯ ଗୁଳୁଗୁଳି ସାଙ୍ଗକୁ ଗରମ ଝାଞ୍ଜି ପବନ କରୁଛି ଅସ୍ତବ୍ଯସ୍ତ

ତାଳଚେରରେ ପାରଦ ୪୨ ଡିଗ୍ରୀ ଛୁଇଁଥିବା ବେଳେ ଦିନ ୧୦ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାସ୍ତା ଘାଟ ଶୁନଶାନ ହୋଇଯାଉଥିବା ଦେଖିବାକୁ ମିଳୁଛି । ତାଳଚେରରେ ଖଣି ଖାଦାନ ଯୋଗୁଁ ତାମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ତାଳଚେର (କେନ୍ୟୁଜ): ତାଳଚେରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଖରାର ମାତ୍ରା । କିଛିଦିନ ହେବ ପାରଦ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଦିନ ୧୦ ଟା ପରେ ଘରୁ ବାହାରିବା ଗୋଟିଏ ପ୍ରକାର ମୁସ୍କିଲ ହୋଇପଡିଛି । ଅସହ୍ଯ ଗୁଳୁଗୁଳି ସାଙ୍ଗକୁ ଗରମ ଝାଞ୍ଜି ପବନ ଜନ ଜୀବନକୁ ଅସ୍ତବ୍ଯସ୍ତ କରିପକାଉଛି । ଅପରପକ୍ଷରେ ବାରମ୍ବାର ବିଜୁଳି କାଟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅଞ୍ଚଳବାସୀ ।

ଘରୁ ବାହାରିଲେ ଲୋକମାନେ ଛତା ଓ ପାଣି ବୋତଲ ନେଇ ଯାଉଥିବା ଲକ୍ଷ୍ୟ କରାଯାଉଛି । ଅସହ୍ଯ ତାତି ରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ସେମାନଙ୍କର ଦୈନନ୍ଦିନ କାର୍ଯ୍ଯ ସକାଳ ୯ଟା ଭିତରେ ସାରି ଘରକୁ ଫେରି ଆସୁଛନ୍ତି । ଦିନ ୧୧ ଟା ରୁ ସନ୍ଧ୍ଯା ୫ଟା ପର୍ଯ୍ଯନ୍ତ ରାସ୍ତାଘାଟ ଶୂନଶାନ ହୋଇପଡିବା ସହ ଦୋକାନ ବଜାର ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ଅନ୍ଯପଟେ ପଥଚାରି ଓ ପଶୁପକ୍ଷୀଙ୍କ ପାଇଁ ପର୍ଯ୍ଯାପ୍ତ ମାତ୍ରାରେ ଜଳଛତ୍ର ଖୋଲା ଯାଇନଥିବା ଦେଖିବାକୁ ମିଳିଛି ।
heat
ତାଳଚେର ଅଞ୍ଚଳର ଚତୁର୍ପାର୍ଶ୍‌ରେ କୋଇଲା ଖଣି ରହିଥିବାରୁ ବିଭିନ୍ନ ସମୟରେ କୋଇଲା ଗଦା ଗୁଡିକରେ ଆପେ ଆପେ ନିଆଁ ଲାଗିଯାଉଥିବାରୁ ଖରାର ମାତ୍ରା ବଢ଼ିବାରେ ଲାଗିଛି । ଅନ୍ଯପଟେ ଖଣି ଖନନ ପାଇଁ ବ୍ଯାପକ ମାତ୍ରାରେ ଜଙ୍ଗଲ କଟାଯିବା ଏବଂ ତାଳଚେରରକୁ ଘେରି ରହିଥିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଫଳରେ ଏହି ଉତାପ ବଢ଼ୁଥିବା ପରିବେଶବିତ ମାନେ ମତ ଦେଇଛନ୍ତି ।

ଅନ୍ଯପଟେ ଖରାର ଏବଂ ଅଂଶୁଘାତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଏବଂ ପୋରାଞ୍ଚଳରେ ବ୍ଯାପକ ବ୍ଯବସ୍ଥା କରିବା ସହ ଜନସାଧାରଣମାନଙ୍କୁ ଖରାରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତାଳଚେର ଅଞ୍ଚଳରେ ବିଗତ କିଛି ଦିନ ହେବ ସରକାରୀ ସ୍ତରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବେସରକାରୀ ସ୍ତରରେ ଆଉ ଦୁଇରୁ ତିନି ଡିଗ୍ରୀ ଅଧିକ ରହୁଥିବା ଅନୁମାନ କରାଯାଉଛି ।

ଏପଟେ ଆହୁରି ୩ ଦିନ କଲବଲ କରିବ। ଖରା ତାତି ସାଙ୍ଗକୁ ଜନଜୀବନକୁ ଅସହ୍ୟ କରିବ ଗୁଳୁଗୁଳି । ତତଲା ତାଓ୍ଵାରେ ଭାଜି ହେଉଛି ସାରା ଓଡ଼ିଶା । ରାଜଧାନୀରେ ସକାଳ ୮ଟା ୩୦ ସୁଦ୍ଧା ୩୨.୬ଂ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପାଇଁ ୪ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରକୁ ହିଟେଓ୍ଵଭ୍‌ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ତତଲାଗଡ଼ ପାଲଟିଛି ବାରିପଦା ।

heat
photo: down to earth

ଗତକାଲି ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା । ରାଜ୍ୟରେ ୨୪ଟି ସହରରେ ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା ପାରଦ । ଏଥିରୁ ୪୩ ଡିଗ୍ରୀ ଉପରେ ରହିଥିଲା ୯ ସହରରେ ତାତି । ଆସନ୍ତା ୩ଦିନ ତାତିରୁ ନିସ୍ତାର ନାହିଁ । ତାତି ସହ ବାୟୁମଣ୍ଡଳରେ ଆର୍ଦ୍ରତା ବଢିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଝାଞ୍ଜି ପବନ ବି ବହିପାରେ ।

ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିବ । ୨୦ ତାରିଖ ପରେ କମିପାରେ ତାପମାତ୍ରା । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ କରିବ । ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ କମିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.