ଅସହାୟ ଅବସ୍ଥାରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ, ମିଳିଲେ ଖାଉଛନ୍ତି ନ ମିଳିଲେ ନାହିଁ
ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ହେଉଛି ଯୋଜନା ଉପରେ ଯୋଜନା। ଏଥିପାଇଁ ରାଜକୋଷରୁ ଆସୁଛି କୋଟି କୋଟି ଟଙ୍କା। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କୁରଡ଼ା ପଞ୍ଚାୟତ ବ୍ରାହ୍ମଣ ଗାଁରେ।

ବଣାଇ(କେନ୍ୟୁଜ୍ ): ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ହେଉଛି ଯୋଜନା ଉପରେ ଯୋଜନା। ଏଥିପାଇଁ ରାଜକୋଷରୁ ଆସୁଛି କୋଟି କୋଟି ଟଙ୍କା। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କୁରଡ଼ା ପଞ୍ଚାୟତ ବ୍ରାହ୍ମଣ ଗାଁରେ।
ବ୍ରାହ୍ମଣ ଗାଁ ର ବୈଦେଇ ପାତ୍ର ଓ ତାଙ୍କ ସ୍ୱାମୀ କୃଷ୍ଣ ପାତ୍ର । ଅସହାୟ ଅବସ୍ଥାରେ ଚଳୁଛନ୍ତି । ଛିଣ୍ଡା ପଲିଥିନ, ବସ୍ତା ଦେଇ ଢାଙ୍କି ରଖିଛନ୍ତି ନିଜ ବାସଭବନକୁ । ଦୁଇ ପଟେ ଦୁଇଟି ଖଟ ପଡିଛି । ସାମ୍ନାରେ ରୋଷେଇ କରୁଛନ୍ତି ବୃଦ୍ଧା । ଗୋଟିଏ ଗୋଡ଼ରେ କେତେବେଳେ ଗୁରୁଣ୍ଡି ଗୁରୁଣ୍ଡି ତ କେତେବେଳେ ଡେଇଁ ଡେଇଁ ଖାଦ୍ୟ ରାନ୍ଧୁଛନ୍ତି । ଛୁଆ ପିଲା କେହି ନଥିବାରୁ ତିନୋଟି ବିଲେଇ ତାଙ୍କ ପାଖରେ ରହୁଛନ୍ତି। ସକାଳୁ କିଏ କିଛି ଦେଲେ ଖାଉଛନ୍ତି ନହେଲେ ନାହିଁ।
ପ୍ରଥମେ ସକାକୁ ଉଠିଲେ ହୁଇଲ ଚେୟାରରେ ନିଜ ପତ୍ନୀ କୁ ବସାଇ ଶୌଚ କରେଇବାକୁ କୌଣସି ଖାଲି ସ୍ଥାନକୁ ନେଇଥାନ୍ତି କୃଷ୍ଣ । ତାପରେ ଘର ପାଇଁ ପାଣି ଆଣି ରଖିଥାନ୍ତି । ପାଣି ଆଣିଲେ ରୋଷେଇ ହବ । ତାପରେ ଯାହା ଥାଏ ଖାଇ ଦେଇ ବୃଦ୍ଧ କୃଷ୍ଣ ପାତ୍ର ଭିକ୍ଷା ମାଗିବା ପାଇଁ ନିଜ ଗ୍ରାମରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରକୁ ଚାଲି ଚାଲି ଯାଇ ମନ୍ଦିରରେ ଭିକ୍ଷା ବୃତ୍ତି କରିଥାନ୍ତି। କୋଉଦିନ ସନ୍ଧ୍ଯା ତ କୋଉଦିନ ଦୁଇପହରରେ ଫେରିଥାନ୍ତି । ପୂର୍ବରୁ ସେମିତି ଦୁଇ ଜଣ ଯାକ ଭିକ୍ଷା କରୁଥିଲେ କିନ୍ତୁ ଆଠ ବର୍ଷ ତଳେ ଭିକ୍ଷା ବୃତ୍ତି ସାରି ବୃଦ୍ଧା ବୈଦେଇ ପାତ୍ର ଘରକୁ ଫେରୁଥିବା ବେଳେ ଏକ ଭାରିଯାନ ତାଙ୍କ ଗଡ଼ ଉପରେ ଚଢି ଗଲା ଯାହାଫଳରେ ଦୁର୍ଘଟଣାରେ ବୈଦେଇ ବାମ ଗୋଡ଼ ହରେଇଥିବା ବେଳେ କୃଷ୍ଣ ପାତ୍ରଙ୍କ ଗୋଟେ ଗୋଡ଼ ଛୋଟା ।
ନିଜର ସମ୍ପତି ବୋଲି କିଛି ନଥିବାରୁ ବୃଦ୍ଧା ଦମ୍ପତି ଭିକ୍ଷା ବୃତ୍ତି କରି ବଞ୍ଚନ୍ତି। ସରକାରଙ୍କ ପକ୍ଷରୁ ମାସକୁ ୩୫କିଲୋ ଚାଉଳ ୫୦୦ଟଙ୍କା ଭତ୍ତା ମିଳିଥାଏ କିନ୍ତୁ ସେଇ ପଇସାକୁ ଉଠେଇ ବାକୁ ହେଲେ ବୈଦେଇ ପାତ୍ରଙ୍କୁ ଦୀର୍ଘ ଚାରି କିଲୋମିଟର ଦୂରରେ ଥିବା ଉଲସୁରେଇ ବ୍ଯାଙ୍କକୁ ଅଟୋ ସାହାଯ୍ଯରେ ଯିବାକୁ ପଡିଥାଏ ଓ 300 ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହାଫଳରେ ତାଙ୍କ ହାତରେ ୨୦୦ଟଙ୍କା ଆସିଥାଏ । ଏଥିରେ ଘରଖର୍ଚ୍ଚ କଣ କରିବେ। ସେଇ ପଲିଥିନ ଟଣା ଘରରେ ଶୀତ, ଖରା, ବର୍ଷା କଟେଇଥାନ୍ତି । ୪୪ ଡିଗ୍ରୀ ଖରା ହେଉ କି ୪ ଡିଗ୍ରୀ ଶୀତ କିମ୍ବା ଢୁଢୁ ବର୍ଷା ସେଇ ସ୍ଥାନରେ ସେମିତି ପଡ଼ିଥାନ୍ତି । ବହୁବାର ପଞ୍ଚାୟତ, ବ୍ଲକ କୁ ଦୌଡ଼ି ଦୌଡ଼ି ନିୟନ୍ତ ହୋଇପଡିଲେଣି କିନ୍ତୁ କେହି ଗୁହାରି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ।
ଦୁଇ ଅସହାୟ ଦମ୍ପତିଙ୍କୁ ଦେଖି ଗ୍ରାମବାସୀ କେତେବେଳେ କିଛି ସାହାଯ୍ଯ କରିଥାନ୍ତି । ଗୃହ ଟିଏ ପାଇଁ ମଧ୍ୟ ଗ୍ରାମବାସୀ ଗୁହାରି କରୁଛନ୍ତି ସରକାରଙ୍କୁ। ତେବେ ଏନେଇ ଆମେ ଲହୁଣୀପଡ଼ା ବିଡ଼ିଓ ଙ୍କୁ ଦେଖାକରି ଜଣେଇଥିଲୁ ବୃଦ୍ଧା ଦମ୍ପତିଙ୍କ ବିଷୟରେ। ବିଡ଼ିଓ କହିଲେ ଏକଥା ସେ ବର୍ତ୍ତମାନ ଆମ ମାଧ୍ଯମରେ ଜାଣିଲେ। ତେଣୁ ଯଥାଶୀଘ୍ର ସେ ତଦନ୍ତ କରି ସାହାଯ୍ଯ ଯୋଗାଇ ଦେବେ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ଯୋଜନା ପହଁଚୁଛି ଏହି ବୃଦ୍ଧ ଦମ୍ପତିଙ୍କ ପାଖରେ ଆଉ କେବେ ଏମାନଙ୍କ ମୁହଁରେ ଫୁଟିବ ହସ ।