ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ, ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ସହିତ ଆଜି ହେବ ଶେଷକୃତ୍ୟ

ସରପଞ୍ଚରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର । ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ଶିରୋନାମା ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ । ଆଜି ହେବ ଶେଷକୃତ୍ୟ ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ୯୫ ବର୍ଷ ବୟସରେ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଛାତିରେ ଯନ୍ତ୍ରଣା ହେତୁ ସପ୍ତାହେ ତଳେ ସେ ମୋହାଲିର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ। ତାଙ୍କ ମୃତ୍ୟୁ ଗତକାଲି ରାତି ୮.୨୮ରେ ହୋଇଛି ।

ତାଙ୍କ ନିଧନରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ ପ୍ରକାଶ ସିଂ ବାଦଲଙ୍କ ସମ୍ମାନର୍ଥେ ବିଭିନ୍ନ ପ୍ରତିଷ୍ଠାନରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ପ୍ରମୁଖ ନେତା ଶୋକ ପ୍ରକାଶ କରିଛନ୍ତି ।

ଗତବର୍ଷ ଜୁନ ମାସରେ ବାଦଲ ଗ୍ୟାସ ରୋଗରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଗତବର୍ଷ ଫେବୃଆରୀ ମାସରେ କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କର ହାର୍ଟ ଚେକଅପ୍‌ ମଧ୍ୟ କରାଯାଇଥିଲା। ବୟସ ଜନିତ ଅସୁସ୍ଥତା କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ବେଶ କିଛି ଦିନ ହେଲା ଦୂରେଇ ରହୁଥିଲେ।

ଗାଁ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ପଞ୍ଜାବରେ ୫ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ପ୍ରକାଶ ସିଂ ବାଦଲ ପରବର୍ତ୍ତୀ ସମୟରେ ଶିରୋମଣି ଅକାଳୀ ଦଳର ପ୍ରମୁଖ ନେତା ହୋଇଥିଲେ।

୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଞ୍ଜାବର ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ଆଜି ପଞ୍ଜାବର ଭଟିଣ୍ଡା ସହରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ତେବେ ତାଙ୍କ ମୃତ୍ୟୁରେ ମୋଦି ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି ।