ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ , ପ୍ରାୟ ୨ଶହ କୋଟିର ୩୧୩ଟି ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ

ଯାଜପୁର ଟାଉନ୍ (କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ। ଦଶରଥପୁର ବ୍ଲକର ଦତ୍ତପୁର, ଧର୍ମଶାଳା ବ୍ଲକର ଜାରକା ଓ ବିଂଝାରପୁର ବ୍ଲକର ଯଜ୍ଞ ପଡିଆରେ ତିନିଟି କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାମର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଥମେ ଦତ୍ତପୁରରେ କାର୍ୟ୍ୟକ୍ରମ ରହିଛି। ସେଠାରୁ ଧର୍ମଶାଳାର କଳ୍ପତରୁ ଦାସ ଷ୍ଟାଡିୟମରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ଜାରକା ମହୋତ୍ସବ ପର୍ୟ୍ୟନ୍ତ ପାଛୋଟି ନିଆଯିବ। ଜାରକାଠାରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କାର୍ୟ୍ୟକ୍ରମ ରହିଛି।
ଏହାସହ ପ୍ରାୟ ୨ଶହ କୋଟି ଟଙ୍କାର ୩୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ନବୀନ। ଏହା ମଧ୍ୟରେ ରହିଛି ବ୍ରାହ୍ମଣୀ ଉପରେ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ କଲଣ-କୁସ୍ତିକା ସେତୁ ସହ ୨୫ କୋଟି ଟଙ୍କା ବ୍ୟୟରେ ଗୋକର୍ଣ୍ଣେଶ୍ୱରଠାରୁ ରମାପୁର ପର୍ୟ୍ୟନ୍ତ ନଦୀବନ୍ଧ ପ୍ରଶସ୍ତିକରଣର କାର୍ୟ୍ୟର ଶୁଭ ଉଦ୍ଘାଟନ । ୪ଟି ବିଜୁ ସେତୁ ସହ ଆମ ଗାଁ ଆମ ବିକାଶ ଯୋଜନାରେ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଜାରକା ପରେ ମୁଖ୍ୟମନ୍ତ୍ରୀ ବିଂଝାରପୁର ଯିବେ।
ପୂର୍ବାହ୍ନ ସାଢ଼େ ୧୧ଟାରେ ଦଶରଥପୁର ବ୍ଲକର ଦତପୁରରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପହଂଚିବେ । ସେଠାରେ କୟାଁ ପଂଚାୟତର ଗୁଣ୍ଠୁଣିପଡା ପୋଲ ଓ ନଛିନ୍ଦ୍ରାପୁର ରାସ୍ତାକୁ ଉଦଘାଟନ କରିବେ । ଏଥିସହିତ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭ ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ମୁଖ୍ୟମନ୍ତ୍ରୀ ଧର୍ମଶାଳାର ମହୋତ୍ସବ ପଡିଆରେ ସାଧାରଣ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ବ୍ଲକ ର ୨୪୫ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୯ ଗୋଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଶେଷରେ ବିଂଝାରପୁର ବ୍ଲକ ଯଜ୍ଞପଡିଆରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟରରେ ପହଂଚି ସାଧାରଣ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ବଗମରା ପୋଲ,ବିତନା ପ୍ରିତିପୁର ଠାରେ ୩୩ କେଭି ବିଦ୍ୟୁତ ଷ୍ଟକଚର ର ଉଦଘାଟନ କରିବା ସହିତ ଓଳେଇ ଚନ୍ଦନପୁର ଠାରେ ପାଣିପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯାଜପୁର ଜିଲ୍ଲାରେ ଆଜି ୩ଟି ବ୍ଲକରେ ପାଖାପାଖି ୫୦୦କୋଟି ଟଙ୍କାର ୨୫୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ପାଖାପାଖି ୧୨୩କୋଟି ଟଙ୍କାର ୧୮ଟି ପ୍ରକଳ୍ପର। ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।