Below header

ଆଜି ପଖାଳ ଦିବସ: ଖରା ଦିନେ ଏହାକୁ ଖାଇବାର ମଜା ନିଆରା, ଘର ବ୍ୟତୀତ ହୋଟେଲ ଓ ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଆଜି ପଖାଳ ଦିବସ। ସାରା ରାଜ୍ଯ ଆଜି ପାଳନ କରୁଛି ଏହି ପଖାଳ ଦିବସ। ଓଡ଼ିଆ ଘରର ପ୍ରୀୟ ଖାଦ୍ୟ ହେଉଛି ପଖାଳ । ଖଟିଖିଆର ଭାତ ହାଣ୍ଡିରୁ କେବେ ମନ୍ଦିର ଆଉ ପୁଣି ଏବେ ସୌଖିନ ହୋଟେଲ ପର୍ଯ୍ୟନ୍ତ ହେଲାଣି ଏହାର ଯାତ୍ରା । ଏହାର ପ୍ରତିଟି ସୋପାନରେ ଯଦିଓ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡ଼ା ଯାଉଛି ହେଲେ ଏହାର ମୌଳିକତା କେବେ ବି ହରାଇନି ।

ତେବେ ଓଡ଼ିଆଙ୍କ ସାମାଜିକ ଜୀବନ ଓ ଧାର୍ମିକ ଭାବନା ସହ ଯୋଡି ହୋଇଛି ପଖାଳ। ଜଗନ୍ନାଥ ଠାରେ ପଖାଳ ସହ ଶାଗଭଜା ଲାଗି ହୋଇଥାଏ। ଶାରଦୀୟ ଦୁର୍ଗାପୂଜାରେ ଦଶମୀରେ ଦେବୀ ଦୁର୍ଗାଙ୍କୁ ଦହି ପଖାଳ ଦେଇ ମେଲାଣି ଦିଆଯାଏ। ସେହିପରି ସାମାଜିକ ପରମ୍ପରାରେ ବିବାହ ପରେ ଝିଅ ଜ୍ୱାଇଁଙ୍କୁ ପଖାଳ ଖୁଆଇ ବିଦାୟ ଦେବାର ବିଧି ରହିଛି।

ପଖାଳ ପ୍ରିୟ ଓଡ଼ିଆଙ୍କ ପଖାଳ ଖାଇବା ପାଇଁ କୌଣସି ସ୍ୱତନ୍ତ୍ର ଅବସର ଲୋଡା ନାହିଁ। କିନ୍ତୁ ଉଦୁଉଦିଆ ଖରାରେ ବେଶୀ ଖୋଜାପଡ଼େ ଦହି ପଖାଳ। ଖରା ସାମାନ୍ୟ ବଢିବା ପରେ କଟକରେ ବଢିଲାଣି ଦହି ପଖାଳର ଚାହିଦା। ଫୁଟପାଥର ହୋଟେଲ ହେଉ ବା ଷ୍ଟାର ହୋଟେଲ ସବୁଠି ଏବେ ଦହି ପଖାଳର ବାସ୍ନା। ଗ୍ରାହକଙ୍କୁ ପରଷି ହେବା ପାଇଁ ବେଶ ଯତ୍ନର ସହ ପଖାଳ ପ୍ରସ୍ତୁତି କରୁଛନ୍ତି ହୋଟେଲ। ସ୍ୱାଦ ପାଇଁ ପଖାଳରେ ସଜ ଦହି ସହ ଭୃସଙ୍ଗ ପତ୍ର, ଆମ୍ବ କସିଆ ଅଦା ମିଶାଯାଉଛି। ପଖାଳ ସହିତ ଉଭୟ ସାଦା ଓ ଆମିଷ ବ୍ୟଞ୍ଜନ ପରଷାଯାଉଛି। ସାଦା ପଖାଳରେ ବଡ଼ି ଚୁରା, ଶାଗଭଜା, ଆମ୍ବ ଆଚାର, ପୋଦିନା ଚଟଣି, ନଡ଼ିଆ ଚଟଣି ସଜନା ଛୁଇଁ ଭଜା, କାକୁଡି ରହୁଛି। ଆମିଷରେ ଚୁନା ମାଛ ଭଜା, ପୋହଳା ଭଜା, ଚିଙ୍ଗୁଡ଼ି ଫ୍ରାଏ, ମାଛ ବେସର, ମସଲା ଦିଆ ମାଛ ମିଳୁଛି। ଏହାର ମଜା ନେବା ପାଇଁ ଜମୁଛି ଗ୍ରାହକଙ୍କ ଭିଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.