Below header

ଜେଟ୍‌ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଅନ୍ତରୀଣ ଜାମିନ୍‌, ଏହି କାରଣରୁ ବମ୍ବେ ହାଇକୋର୍ଟ ନେଲେ ନିଷ୍ପତ୍ତି

ଜେଟ୍‌ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ବଡ଼ ଆଶ୍ୱସ୍ତି । ମନି ଲଣ୍ଡରିଂ ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ସୋମବାର ଗୋୟଲଙ୍କୁ ମେଡିକାଲ ଆଧାରରେ ୨ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି ।

ଜେଟ୍‌ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ମନି ଲଣ୍ଡରିଂ ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ସୋମବାର ଗୋୟଲଙ୍କୁ ମେଡିକାଲ ଆଧାରରେ ୨ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି । ଗୋୟଲ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ । ସେ କହିଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ, ଉଭୟ କ୍ୟାନ୍ସରର ଶେଷ ଷ୍ଟେଜ୍‌ରେ ଜୁଝି ହେଉଛନ୍ତି ।

ଶିଳ୍ପପତିଙ୍କ ଆବେଦନ ଶୁଣାଣି କରି କୋର୍ଟ ମେ’ ୩କୁ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଗୋୟଲଙ୍କ ମେଡିକାଲ ଆଧାରରେ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରିଥିଲା । ଏହା ସହିତ ତଦନ୍ତ ଏଜେନ୍ସି କହିଥିଲା କି, ବେସରକାରୀ ହସ୍ପିଟାଲରେ ତାଙ୍କର ରହିବା ଏକ ମାସ ପାଇଁ ବଢ଼ାଯାଇ ପାରେ ।

ଇଡିର ଓକିଲ ହିତେନ ଭେନେଗାଁଓକର ଜାମିନ୍‌କୁ ବିରୋଧ କରି କହିଥିଲେ, ଯଦି ଗୋୟଲଙ୍କ ହସ୍ପିଟାଲରେ ରହିବା ଅବଧି ବଢ଼ାଇ ଦିଆଯିବ, ତା’ ହେଲେ ଏଜେନ୍ସିକୁ କୌଣସି ସମସ୍ୟା ହେବ ନାହିଁ । ସେ କହିିଥିଲେ କି, ହାଇକୋର୍ଟ ଗୋୟଲଙ୍କ ହସ୍ପିଟାଲରେ ରହିବା ଅବଧିକୁ ୪ ସପ୍ତାହ ପାଇଁ ବଢ଼ାଇ ପାରନ୍ତି ଏବଂ ତାଙ୍କ ସ୍ଥିତିକୁ ଆକଳନ କରିବା ପାଇଁ ଏକ ନୂଆ ମେଡିକାଲ ରିପୋର୍ଟ ମାଗିପାରନ୍ତି ।

ସୂଚନାଯୋଗ୍ୟ ଯେ ମନି ଲଣ୍ଡରିଂ ତଥା କାନାରା ବ୍ୟାଙ୍କ ଦ୍ୱାରା କରଜ ରୂପେ ଜେଟ ଏୟାରୱେଜକୁ ଦିଆଯାଇଥିବା ୫୩୮.୬୨ କୋଟି ଟଙ୍କାରେ ଠକେଇ କରିବା ଅଭିଯୋଗରେ ଇଡି ନରେଶ ଗୋୟଲଙ୍କୁ ଗିରଫ କରିଥିଲା । ୨୦୨୩ ସେପ୍ଟେମ୍ବରରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିବା ପରେ ଗୋୟଲଙ୍କ ପତ୍ନୀ ଅନୀତା ଗୋୟଲଙ୍କୁ ମଧ୍ୟ ନଭେମ୍ବରରେ ଗିରଫ କରିଥିଲା । ଅବଶ୍ୟ, ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ନଜରରେ ରଖି ସେହି ଦିନ ହିଁ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ୍‌ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.