Below header

କଣ ଶୂନ୍ୟରୁ ଆସିଲା ୨ ଶହ କୋଟିର କୋକେନ୍‌ ?

ଏମ୍‌ଭି ଦେବି ନାମକ ଜାହାଜରୁ ମିଳିଛି ୨୦କେଜିର କୋକେନ୍। ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୦୦ କୋଟି ଟଙ୍କା । ଏନେଇ କଷ୍ଟମସ ବିଭାଗ ପକ୍ଷ ରୁ ମିଳିଛି ସୂଚନା।

ପାରାଦୀପ: ଇଣ୍ଡୋନେସିଆରୁ ଆସିଛି ଜାହାଜ । ଜାହାଜରୁ ମିଳିଛି ୨୦୦ କୋଟି ଟଙ୍କାର ନିଶାଦ୍ରବ୍ୟ । ବ୍ରାଉନ୍‌ ସୁଗାର ହବ୍‌ ପାଲଟିଥବା ଓଡ଼ିଶାରେ ଏବେ ଭୟଙ୍କର ନିଶାଦ୍ରବ୍ୟ କୋକେନ୍‌ । ଏମ୍‌ଭି ଦେବି ନାମକ ଜାହାଜରୁ ମିଳିଛି ୨୦କେଜିର କୋକେନ୍। ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୦୦ କୋଟି ଟଙ୍କା । ଏନେଇ କଷ୍ଟମସ ବିଭାଗ ପକ୍ଷ ରୁ ମିଳିଛି ସୂଚନା। ଗତକାଲି ରାତିରେ ଜାହାଜରୁ ଏହି ସନ୍ଦିଗ୍ଧ ଧଳା ଜିନିଷ ମିଳିଥିଲା। ଆଜି ଭୁବନେଶ୍ୱରରୁ ଗୋଟିଏ ଟିମ୍ ଟେଷ୍ଟ କିଟ୍‌ ଧରି ପହଞ୍ଚିଥିଲେ। ପରୀକ୍ଷା ପରେ ଏହା କୋକେନ୍ ବୋଲି ଜଣା ପଡିଥିଲା। ଏନେଇ ଜାହାଜକୁ ଅଟକ ରଖାଯାଇ ଥିବା ବେଳେ କଷ୍ଟମସ ଟିମ୍ ଏହାର ତଦନ୍ତ କରୁଛି ।

ତେବେ କେଉଁଠୁ ଆସିଲା ଏହି କୋକେନ୍ ? କିଏ ଆଣିଲା ? ଜାହାଜରେ ଥିବା କର୍ମଚାରୀ କହୁଛନ୍ତି ଆମେ ଜାଣିନୁ । ତାହାହେଲେ କଣ ଶୂନ୍ୟରେ ଉଡ଼ି ଆସିଲା ଏହି ନିଶାଦ୍ରବ୍ୟ ? ମାରାତ୍ମକ ନିଶାଦ୍ରବ୍ୟ ହେଉଛି କୋକେନ୍ । ସଧାରଣତଃ ବାହାର ରାଜ୍ୟମାନଙ୍କରେ ଏହାର ବ୍ୟବହାର ହେଉଥିବା କଥା ଆମେ ଶୁଣିଛନ୍ତି । କିନ୍ତୁ ଏହା ଓଡ଼ିଶାକୁ କିପରି ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି । ବର୍ତ୍ତମାନ ଏହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାହାଜରୁ ମିଳିଥିବା ଏହି ପ୍ୟାକେଟ୍ ପଛରେ ପ୍ରକୃତରେ ମାଷ୍ଟର ମାଇଣ୍ଡ କିଏ ? ଓଡ଼ିଶାରେ ଏହାର କେତେ ବାଟ ଯାଏଁ ଲମ୍ବିଛି ଚେର ? ଏସବୁ ବର୍ତ୍ତମାନ ରହସ୍ୟ ଘେରରେ । ପ୍ୟାକେଟ୍ ପଛରେ ଲୁଚି ରହିଥିବା ଏହି ରହସ୍ୟକୁ ନେଇ ବଢ଼ିଲାଣି ଅଡ଼ୁଆ । ଚାଲିଛି ଜୋରଦାର ତଦନ୍ତ ।

ସୂଚନା ମୁତାବକ, ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିଲା ଇଣ୍ଡୋନେସିଆରୁ ଆସିଥିବା ଜାହାଜ । ଯାଞ୍ଚ ବେଳେ ପ୍ରଥମେ ଜାହାଜ ଭିତରୁ ମିଳିଲା ୮ଟି ସନ୍ଦିଗଧ ପ୍ୟାକେଟ। ପରେ ଆଉ ୧୪ ପ୍ୟାକେଟ୍‌ ମିଳିଥିଲା । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡ୍ରଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଗଲା । ଜବତ ୨୨ଟି ପ୍ୟାକେଟ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ଇଣ୍ଡୋନେସିଆରୁ ଆସିଥିବା MV DEBI ନାମକ ଜାହାଜକୁ କେମିତି ଆସିଲା ଏସବୁ ତାର ତନାଘନା ଚାଲିଛି । ତେବେ ଜାହାଜର କର୍ମଚାରୀ ଏହା କଣ ଓ କିଏ ରଖିଛି ତାହା କହି ପାରିନଥିଲେ। ଫଳରେ ପାରାଦୀପ ଆଦର୍ଶ ଥାନା , ସିଆଇଏସଏଫ ଓ ଡ୍ରଗ୍ ସ୍କ୍ୱାଡ୍ କୁ ଖବର ଦିଆଯାଇଥିଲା। ଯାଞ୍ଚ ସମୟରେ ଏହି ପ୍ୟାକେଟର ଜରିକୁ ଖୋଲିବା ପରେ , ସେଥିରେ ଧଳା ରଙ୍ଗ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଭଳି ଜିନିଷ ମିଳିଛି। ସମସ୍ତ ପ୍ୟାକେଟକୁ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରା ଯାଇଥିବା ବେଳେ ଏହାର ଯାଞ୍ଚ କରାଯାଉଛି।

କୋକେନ୍‌ ଏକ ଏଭଳି ମାରାତ୍ମକ ନିଶାଦ୍ରବ୍ୟ ଯାହାକୁ ସେବନ କରୁଥିବା ବ୍ୟକ୍ତି ଶେଷରେ ମୃତ୍ୟୁ ଆଡ଼କୁ ଠେଲି ହୋଇଯାଏ । କୋକା ପ୍ଲାଣ୍ଟରୁ କୋକେନ୍‌ ତିଆରି ହୁଏ । ଏହାକୁ ଅନେକ ଔଷଧରେ ମଧ୍ୟ ବ୍ୟବହାର କରାଯାଏ । ହେଲେ ଏଥିରୁ ପ୍ରବଳ ନିଶା ହେଉଥିବାରୁ ନିଶାଡ଼ିମାନେ ଏହାର ଦୁରୁପଯୋଗ କରନ୍ତି । ତେଣୁ ନିଶା କାରବାର ପାଇଁ ଏହାର ବ୍ୟାପକ ଚୋରା ଚାଲାଣ ହେଉଛି ।

କୋକେନ୍ ବ୍ୟବହାର କଲେ ଦେହର ତାପମାତ୍ରା ବଢ଼ିଗଲା ଭଳି ଲାଗେ । ହାର୍ଟ ଦ୍ରୁତ ଗତିରେ ଚାଲେ, ନିଶ୍ୱାସ ନେବାରେ କଷ୍ଟ ହୁଏ । ପରିଣାମ ସ୍ୱରୂପ ହାର୍ଟ ଫେଲୁଆର ହୁଏ । ଏହାକୁ ନିୟମିତ ସେବନ କରୁଥିବା ଲୋକକୁ ଭୋକ ହୁଏନି, ଶରୀର ଓଜନ କମିଯାଏ, ଆଖି ପଦାକୁ ବାହାରି ଆସେ ଆଉ ନିଦ ହୁଏ ନାହିଁ । ବିରକ୍ତ ଲାଗିବା ସହ ଶରୀରର ନର୍ଭ ସିଷ୍ଟମକୁ ପ୍ରଭାବିତ କରେ । ଲଗାତର କୋକେନ୍‌ ସେବନ କରୁଥିବାବ୍ୟକ୍ତିକୁ ହାର୍ଟ ଆଟାକ ସହ, ଅଲସର, ଫୁସଫୁସ ଜନିତ ରୋଗ, ଯୌନ ଅକ୍ଷମତା, ଚର୍ମରୋଗ ଭଳି ଅନେକ ରୋଗ ଆକ୍ରମଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.