Below header

ତିନି ଛୁଆଙ୍କୁ ଏକା କରି ଚାଲିଗଲା ବାପା, ଏବେ ଏମାନଙ୍କୁ ଅନାଇବ କିଏ ?

ଏହି ୩ଟି ଛୁଆଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ନା ଏମାନଙ୍କର ବାପା ଅଛନ୍ତି ନା ଅଛି ମା’ । ଏଭଳି ଅଭାବନୀୟ ଘଟଣା ଘଟିଛିି ସୁନ୍ଦରଗଡ ଜିଲ୍ଲା ବଣାଇ ର ଠାକୁର୍ମା ଗାଁରେ ।

କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି । ଦୁନିଆ କଣ ବୁଝିବା ଆଗରୁ ସବୁକିଛି ଶେଷ ହୋଇଗଲା । ଦଇବ ସହିଲାନି କୁନି କୁନି ପିଲାଙ୍କ ସୁଖ । ଆଉ ହସଖୁସିର ପରିବାର ଭିତରେ ହଠାତ ଆସିଲା ଦୁଃଖର କଳା ବାଦଲ । ନିମିଷକରେ ଶେଷ ହୋଇଗଲା ସବୁ କିଛି । ୩ଟି ଛୁଆଙ୍କ ମୁଣ୍ଡ ଉପରୁ ଉଠିଗଲା ବାପା ମା’ଙ୍କ ହାତ । ବାପା ଛେଉଣ୍ଡ ଏହି ତିନି ପିଲାଙ୍କୁ ଏବେ ଅନାଇବ କିଏ ? ମା’ ୫ ବର୍ଷ ହେବ ଘର ଛାଡ଼ି ପଳାଇଛି । ଏବେ ପିଲାଙ୍କ ଦାୟିତ୍ୱ କିଏ ନେବ ? କେମିତି ଚଳିବେ ଏମାନେ ? ବାପା ଥିଲାବେଳେ ଯାହା ରୋଜଗାର କରି ଆଣୁଥିଲେ କଷ୍ଟେ ମଷ୍ଟେ ଚଳି ଯାଉଥିଲେ । ଦୁଃଖ କଷ୍ଟ ଭିତରେ ବି ବାପାର ହାତ ମୁଣ୍ଡ ଉପରେ ଥିଲା । କିନ୍ତୁ ୩ଟି ଛଆଙ୍କୁ ଏକା କରି ଆରପାରିକୁ ଚାଲିଗଲା ବାପା । କୁନି କୁନି ପିଲାଙ୍କ ଖେଳ କୁଦ ବୟସରେ ବାପା ମା’ ହାତ ଛାଡିଦେଲେ ଛୁଆମାନଙ୍କ ଭବିଷ୍ୟତ କଣ ଯେ ହେବ ତାହା ନ କହିବା ଭଲ । ତେବେ ଏହି ୩ଟି ଛୁଆଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ନା ଏମାନଙ୍କର ବାପା ଅଛନ୍ତି ନା ଅଛି ମା’ । ଏଭଳି ଅଭାବନୀୟ ଘଟଣା ଘଟିଛିି ସୁନ୍ଦରଗଡ ଜିଲ୍ଲା ବଣାଇ ର ଠାକୁର୍ମା ଗାଁରେ ।

ବଣାଇ ସଦରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଠାକୁର୍ମା ଗାଁ ଯେଉଁଠାରେ ଆଦିବାସୀ ପରିବାର ଦନାର କିସାନର ଘର । ନିଜର ବୋଲି କେହିନାହାନ୍ତି । ପରିବାରରେ ଦୁଇ ଝିଅ ଗୋଟିଏ ପୁଅ । ବେଶ ହସଖୁସିରେ ପରିବାର ଚଳୁଥିଲା । ପ୍ରାୟ ଛଅ ବର୍ଷ ପୂର୍ବରୁ ହଠାତ ଘରେ କୌଣସି କାରଣରୁ ଝଗଡା ହେବାରୁ ୩ଟି ଛୁଆଙ୍କୁ ଛାଡି ମାଆ ପଳାଇଲା । ବାପା ଦିନମଜୁରିଆ କାମ କରି ଛୁଆଙ୍କ ଲାଳନ ପାଳନ କରୁଥିଲେ । ୧୨ ବର୍ଷର ବଡ ଝିଅ ଜ୍ୟୋତି, ୧୦ ବର୍ଷର ସାନ ଝିଅ ରିୟା ଓ ୭ ବର୍ଷର ପୁଅ ରାକେଶ । ପୁଅ ଶୁଣି ପାରେ ନାହିଁ କି କଥା କହିପାରେ ନାହିଁ । ସାନ ଝିଅ ଖନେଇ ଖନେଇ କଥା କୁହେ । ବାପା କାମକୁ ଗଲେ ଜ୍ୟୋତି ସ୍କୁଲ ଯିବା ସହ ଭାଇ ଭଉଣୀଙ୍କୁ ଦେଖାରେଖା କରେ । ଭଗବାନ ସେଇଟା ବି ସହିପାରିଲେନି । ଘରେ ବଜ୍ର ପଡ଼ିଲା ଭଳି ହଠାତ ରୋଗାଗ୍ରସ୍ଥ ହେଲେ ବାପା । ବଡ଼ ଝିଅ ସମ୍ପର୍କୀୟ ଜେଜେମାଙ୍କ ନିକଟରେ ଭାଇ ଭଉଣୀଙ୍କୁ ଛାଡି ଜଣେ ପଡ଼ୋଶୀଙ୍କ ସହାୟତାରେ ଡାକ୍ତରଖାନାରେ ବାପାଙ୍କୁ ଭର୍ତ୍ତି କଲା । ବାପାର ଦେଖା ରେଖା ପାଇଁ କେହି ନଥିଲେ ବୋଲି ନିଜେ କୁନି ହାତରେ ବଣାଇ ଚିକିତ୍ସାଳୟରେ ବାପାଙ୍କ ସେବା କରୁଥିଲା । କିନ୍ତୁ ଦନାର କିସାନଙ୍କ ଦେହ ଅଧିକ ଖରାପ ହୋଇ ଶେଷରେ ସେ ଦୁନିଆ ଛାଡ଼ି ଚାଲିଗଲେ । ନିଜର କେହି ନଥିବାରୁ ଜ୍ୟୋତି ମହାପ୍ରଣାୟମ ଗାଡ଼ିରେ ବାପାର ମୃତ ଶରୀରକୁ ସାଙ୍ଗରେ ଧରି ଘରକୁ ଫେରିଲା ।

ପିଲାମାନଙ୍କର କେହି ନଥିବାରୁ ଗାଁର କିଛି ଯୁବକ ଆସି ଶବକୁ ଶେଷକୃତ୍ୟ ପାଇଁ ନେଇଗଲେ । ଭଙ୍ଗା ଘରେ ବିଜୁଳି ବି ନାହିଁ । ଖାଇବାକୁ ଦି ମୁଠା ନାହିଁ । ଅସହାୟରେ ପଡିଛନ୍ତି ଏହି ତିନି ଛୁଆ । କିଏ ଏମାନଙ୍କୁ ଆପଣାଇବ ? କେମିତି ବଞ୍ଚିବେ ଏମାନେ? ସରକାର କେବଳ ଚାଉଳ ଗଣ୍ଡେ ଦେଉଛନ୍ତି ହେଲେ ଏମାନେ ପିନ୍ଧିବେ କଣ ? ଚାଲିବେ କେମିତି ? ଏମିତି ପ୍ରଶ୍ନକୁ ନେଇ ଏହି ଅସହାୟ ପିଲାମାନେ ଘର ବାରଣ୍ଡାରେ ବସିଛନ୍ତି । ଯଦି ଏମାନଙ୍କୁ କିଛି ସରକାରୀ ସହାୟତା ମିଳନ୍ତା ତେବେ ଏମାନେ ହୁଏତ ପାଠ ପଢ଼ି ପାରନ୍ତେ । ତେବେ ଦେଖାଯାଉ ଏମାନଙ୍କ ଭବିଷ୍ୟତ କଣ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.