Below header

ବ୍ରହ୍ମପୁର: ପ୍ରେମ ପ୍ରତାରଣା କରି ଗିରଫ ହୋଇଥିଲେ ପୋଲିସ SI, ଏବେ ଯୁବତୀଙ୍କୁ ଦେଉଛନ୍ତି ଧମକ, ନ୍ୟାୟ ପାଇଁ ଆଇଜିଙ୍କ ଦ୍ବାରସ୍ଥ ହେଲେ ଯୁବତୀ

ବ୍ରହ୍ମପୁର(କେନ୍ୟୁଜ୍): ପୋଲିସ ବିରୁଦ୍ଧରେ ପୋଲିସକୁ ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଥିବା ଏସଆଇ ଟୁନା ପଡିକାଙ୍କ ନାମରେ ଗୁରୁତର ଅଭିଯୋଗ । ଟୁନା ୨୦୧୭ ମସିହାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ତାଲିମ ନେଉଥିବା ବେଳେ ଜଣେ ଭୁବନେଶ୍ୱରର  ଯୁବତୀଙ୍କ ସଂସ୍ପର୍ଷରେ  ଆସିଥିଲେ । ଯୁବତୀଙ୍କ ସହ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିବା ବେଳେ ସୁଦ୍ଧା ଉକ୍ତ ଯୁବତୀଙ୍କୁ ବିବାହ ନ କରି ଅନ୍ୟ ଏକ ଯୁବତୀ ସହ ବିବାହ କରିବା ନେଇ ଜାଣିବାକୁ ପାଇଥିଲେ ଯୁବତୀ ଜଣକ। ଏହି ଅଭିଯୋଗ ନେଇ ଯୁବତୀ ଜଣକ ଗତ ଜୁଲାଇ ମାସ ୩ ତାରିଖରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ ।

ପୋଲିସ ଏ ସମ୍ପର୍କରେ ମାମଲା  ରୁଜୁ କରି ଜୁଲାଇ ୬ରେ ଟୁନାକୁ ଗିରଫ କରିଥିଲା। ବର୍ତ୍ତମାନ ଟୁନା ଯୁବତୀ ଜଣଙ୍କୁ ଏତଲା ପ୍ରତ୍ୟାହାର କରିବା ପାଇଁ ଧମକ ଦେଉଛି ଓ ଏତଲା ପ୍ରତ୍ୟାହାର ନ କଲେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଫେସବୁକରେ ଭାଇରଲ କରିବେ ବୋଲି  ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ପୀଡିତା ଯୁବତୀ । ସେପଟେ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ମାମଲାର ପ୍ରମାଣ ଯୋଗାଡିବା ନିମନ୍ତେ ୫୦ ହଜାର ଟଙ୍କା ଥାନା ଅଧିକାରୀ ମାଗୁଥିବା ଅଭିଯୋଗ କରିଛନ୍ତି ଯୁବତୀ । ତେଣୁ ତଦନ୍ତ ଅଧିକାରୀଙ୍କୁ ବଦଳ କରାଯିବା ସହ ଅଭିଯୁକ୍ତ ଟୁନା ପିଡିକାକୁ ନିଲମ୍ବିତ କରିବା ଦାବି ନେଇ ଆଜି ପୀଡିତା ଯୁବତୀ ଜଣକ  ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଛନ୍ତି ।

ଏହା ସହ ମାମଲାର ତଦନ୍ତ ଠିକ୍ ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି  ।  ସେପଟେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନିଆଯାଇଥିବା କହିଛନ୍ତି ଡିଆଇଜି । ମାମଲାର ସଠିକ ତଦନ୍ତ ନିମନ୍ତେ ଆଇୟୁସିଡବ୍ଳୁ ସେଲକୁ ହସ୍ତାନ୍ତର କରାଯାଇଥିବା ବେଳେ ତୁରନ୍ତ ପୀଡିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଦକ୍ଷିଣାଞ୍ଚଳ ଡିଇଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.