ନବରଙ୍ଗପୁର: ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ, ସମ୍ମାନିତ କଲେ । ସଫେଇ କର୍ମଚାରୀଙ୍କ ପାଦ ଧୋଇ ଜନତାଙ୍କ ମନ ଜିଣିନେଇଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରି । ୪ ଜଣ ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନିତ କରିଛନ୍ତି । ବିଧାୟକଙ୍କ ଏଭଳି କାମ ପାଇଁ ତାଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ନେତା, ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଜନତା ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି । ମେଡିକାଲ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଯେଉଁ ସଫେଇ କର୍ମଚାରୀ ଦିନରାତି ଅହରହ ଉଦ୍ୟମ କରୁଛନ୍ତି ସେହି କର୍ମଚାରୀଙ୍କ କର୍ତ୍ତବ୍ୟ ନିଷ୍ଠାକୁ ସମ୍ମାନ ଜଣାଇ ବିଧାୟକ ସେମାନଙ୍କ ପାଦ ଧୋଇଛନ୍ତି । ଡାବୁଗାଁରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ପରିବେଶ ସ୍ୱଚ୍ଛ ରଖିବା ସହ ପ୍ଳାଷ୍ଟିକ ଓ ପଲିଥିନ ମୁକ୍ତ ସମାଜ ଗଠନ କରିବାକୁ ପରାମର୍ଶ ଦେଇଥିଲେ ବିଧାୟକ । ପୂର୍ବରୁ ରାସ୍ତା ଉପରେ ପାଣି ଜମା ହୋଇ କାଦୁଅ ହେଉଥିବା ଯୋଗୁ ନିଜେ କୋଦାଳ ଧରି ରାସ୍ତା ସଫେଇ କରିଥିଲେ ବିଧାୟକ ମନୋହର ରନ୍ଧାରି ।