ପାକିସ୍ତାନ ଅଧିନସ୍ଥ ମୁଜାଫରାବାଦରେ ଚୀନ୍ ଏବଂ ପାକିସ୍ତାନ ବିରୋଧରେ ନାରା । ଏହି ସମ୍ପର୍କରେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ନୀଲମ ଏବଂ ଝେଲମ ନଦୀରେ ଅବୈଧ ଉପାୟରେ ଡ୍ଯାମ ପ୍ରସ୍ତୁତ ହେଉଛି ଯାହାଦ୍ବାରା ଏଠାର ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡିପାରେ।
ସୂଚନା ମୁତାବକ ପାକିସ୍ତାନ ଅଧିନସ୍ଥ କଶ୍ମୀର (ପିଓକେ) ରେ ଜଳବିଦ୍ଯୁତ୍ ପରିଯୋଜନା ସ୍ଥାପିତ କରିବା ପାଇଁ ଚୀନର ଏକ କମ୍ପାନୀ ପାକିସ୍ତାନ ସହ ୧୫୦ କୋଟି ଆମେରିକୀ ଡଲାର ସହ ଗତକାଲି ସାଇନ୍ କରିଛି।
ଏକ ସମାରୋହରେ ‘ଆଜାଦ ପତନ ଜଳବିଦ୍ଯୁତ୍ ପରିଯୋଜନା’ ପାଇଁ ଚୀନର ଜେଝୁବା ସହ ବୁଝାବଣା ପରେ ସାଇନ୍ ସମୟରେ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ମଧ୍ଯ ଉପସ୍ଥିତ ଥିଲେ। ଏହି ପରିଯୋଜନା ପିଓକେର ସୁଧାନୋତି ଜିଲ୍ଲାରେ ଝେଲମ ନଦୀରେ ଅବସ୍ଥିତ ଯାହା ୨୦୨୬ରେ ପୁରା ହେବାର ଆଶା ରହିଛି। ରିପୋର୍ଟ ଅନୁଯାୟୀ ଏହି ପରିଯୋଜନା ମହତ୍ବାକାଂକ୍ଷୀ ସିପିଇସିର ଏକ ଅଂଶ।