ଆର୍ଥିକ ସମ୍ବଳ ଅଭାବରୁ ଭାଙ୍ଗିପଡିଲେ ଦିନ ମଜୁରିଆ ତୁକାରାମ, ସରକାର ଦୁଃଖ ନବୁଝିବାରୁ ଶେଷରେ କଲେ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର: ଘର ପୋଡିବା ପରେ ସରକାର ଦୁଃଖ ନବୁଝିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଆଦିବାସୀ ବ୍ୟକ୍ତି। କିରୋସିନ ପିଇବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ରେ ଭର୍ତ୍ତି। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି, ଆନନ୍ଦପୁର ବ୍ଲକ ର କଣ୍ଟିପାଳ ଗାଁରେ। ଏହି ଗାଁର ୭ ନମ୍ବର ୱାର୍ଡ ରେ ବାସ କରନ୍ତି ତୁକାରାମ ହୋ। ସ୍ତ୍ରୀ ଓ ପୁଅ କୁ ନେଇ ତାଙ୍କର ସଂସାର। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ତୁକାରାମ ଉପରେ ଦଇବ ସାଧିଲା ଦାଉ। ଜାନୁଆରୀ ମାସରେ ଚାଳ ଛପର ଘରଟି କୌଣସି କାରଣ ବଶତଃ ନିଆଁ ଲାଗି ପୋଡି ଜଳି ପାଉଁଶ ହୋଇ ଯାଇଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି କେବଳ ପଲିଥିନ ଖଣ୍ଡିଏ ଦେଇ ବସିଗଲେ।

ଅନ୍ୟପକ୍ଷରେ ସରକାରଙ୍କ ସହାୟତାରେ ଘର ଖଣ୍ଡିଏ ପାଇବାକୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇପଡିଥିଲେ । ଦିନ ମଜୁରିଆ ତୁକାରାମ ଲକଡାଉନ ପ୍ରରିପେକ୍ଷିରେ ନିଜର ଆର୍ଥିକ ସମ୍ବଳ ଅଭାବରୁ ମେରୁଦଣ୍ଡ ସଳଖି ଠିଆ ହୋଇନପାରି ଆତ୍ମହତ୍ୟା କୁ ଶେଷପନ୍ଥା ରୂପେ ବାଛି ନେଇଥିଲେ । ଘରେ ଥିବା କିରୋସିନ ପିଇ ତୁକାରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯିବାରୁ ସ୍ଥାନୀୟ ଲୋକଙ୍କ ସହିତ ପରିବାର ଲୋକଙ୍କ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି।

suicideସରକାରଙ୍କର ଯୋଜନା ଉପରେ ଯୋଜନା। ଗରିବ ଲୋକ ଙ୍କର ମାନ ଉନ୍ନତ କରିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ପ୍ରକୃତପକ୍ଷେ ସେ ସବୁ ଯୋଜନା କାହା ପାଇଁ। ଗରିବ ଆଦିବାସୀ ତୁକାରାମ ପାଇଁ ଏସବୁ ଯେମିତି ଆକାଶ କଇଆଁ ଚିଲିକା ମାଛ ସଦୃଶ ହୋଇଛି। ଏସମ୍ପର୍କରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ପଚାରିବାକୁ ସେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିନଥିଲେ।

ତେବେ ଦେଖିବାର ବିଷୟ ଗରିବ ଲୋକମାନଙ୍କ ପାଇଁ ହୋଇଥିବା ଯୋଜନାରେ ଗରିବ ତୁକାରାମ ପାଇଁ ପ୍ରଶାସନିକ ସ୍ଥରରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଗରିବ ହୋଇ ବଞ୍ଚି ରହିବା ଅଭିଶାପ କୁ ପାଥେୟ କରି ସଂଘର୍ଷ କରୁଥିବା ତୁକାରାମ ପ୍ରତି ସରକାର ଓ ପ୍ରଶାସନ ସଦୟ ହୋଇ ସରକାରୀ ସହାୟତାର ହାତ ବଢାଇଲେ ଗରିବ ପରିବାର ଟି ଉପକୃତ ହୋଇପାରନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.