ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ଡ୍ରଗ୍ସ ମାମଲା ବେଶ୍ ଚର୍ଚ୍ଚାରେ ରହିଛି। ଡ୍ରଗ୍ କେସ୍ରେ ଗତ କିଛି ଦିନ ତଳେ କିଛି ଲୋକଙ୍କୁ ପୋଲିସ ଗିରଫ କରିଛନ୍ତି। ତେବେ ନିକଟରେ ସେଣ୍ଟ୍ରାଲ କ୍ରାଇମ୍ ବ୍ୟୁରୋ ସିସିବି ପୋଲିସ ବଲିଉଡ୍ ଅଭିନେତା ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲ୍ବାଙ୍କ ଘରର ସର୍ଚ୍ଚ ଓ୍ଵାରେଣ୍ଟ ଜାରି କରିଛନ୍ତି। ଏହା ପରେ କର୍ଣ୍ଣାଟକର ପୂର୍ବ ମନ୍ତ୍ରୀ ଜୀବରାଜ ଅଲ୍ବାଙ୍କ ଘରରେ ଚଢ଼ଉ କରିଛି ପୋଲିସ।
ପୋଲିସ ଆଦିତ୍ୟଙ୍କୁ ଖୋଜୁଥିବା ବେଳେ ଏବେ ତାଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ରିପୋର୍ଟ ମୁତାବକ ଏହି କେସ୍ରେ ଆଦିତ୍ୟଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଲୁଚି ଯାଇଛନ୍ତି ଓ ଲଗାତାର ସ୍ଥାନ ବଦଳାଉଛନ୍ତି। ସେ ନିଜ ଫୋନ୍ ବି ବନ୍ଦ କରି ଦେଇଛନ୍ତି।
ସୂଚନା ମୁତାବକ ଆଦିତ୍ୟ ଅଲ୍ବାଙ୍କ ଡ୍ରଗ୍ସ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଚିହ୍ନା ପରିଚୟ ଥିଲା। ସେହିପରି କୋଟ୍ଟନ୍ପେଟ୍ର ପୋଲିସ ଷ୍ଟେସନ୍ରେ ରୁଜୁ ହୋଇଥିବା ଡ୍ରଗ୍ କେସ୍ରେ ଆଦିତ୍ୟଙ୍କ ନାଁ ବି ରହିଛି। କେବଳ ଏତିକି ନୁହେଁ ଆଦିତ୍ୟ କେତେକ ଡ୍ରଗ୍ସ ପାର୍ଟିରେ ବି ସାମିଲ ହୋଇଛନ୍ତି। ଏଣୁ କୌଣସି ମୁହୂର୍ତ୍ତରେ ବି ସେ ବନ୍ଧା ହେବା ଆଶଙ୍କା ପ୍ରକାଶ ପାଇଛି। ଏହା ପୂର୍ବରୁ କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲରାନୀ ବି ଗିରଫ ହୋଇଛନ୍ତି।