ନୂଆଦିଲ୍ଲୀ: ନଭେମ୍ବର ୮, ୨୦୧୬ ମସିହା । ଆଜିର ଦିନରେ ହଠାତ୍ ଓଲଟ ପାଲଟ ହୋଇଯାଇଥିଲା ଦେଶର ଅର୍ଥନୀତି । ଏହି ଅର୍ଥନୀତିକୁ ନେଇ ଭାରତୀୟ ଇତିହାସରେ ନିଆଯାଇଥିଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତି । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚଳିତ ହେଉଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଦେଇଥିଲେ।
ଏହା ଶୁଣିବା ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଥିଲା । ହଠାତ୍ କିଏ କଣ କରିବେ? କିଛି ଭାବିପାରିନଥିଲେ । ଲୋକମାନଙ୍କୁ ଯଦିଓ ଅଚଳ ନୋଟକୁ ଜମା କରିବା ଲାଗି କିଛି ସମୟ ଦିଆଯାଇଥିଲା, ତଥାପି ବାରମ୍ବାର ନିୟମ ବଦଳାଇବା କାରଣରୁ ଲୋକମାନେ ବ୍ୟତିବସ୍ତ ହୋଇ ପଡ଼ିଥିଲେ। କାହିଁକି ନା ଏହି ଦୁଇଟି ବଡ଼ ମୂଲ୍ୟର ନୋଟ୍କୁ ଅଚଳ କରି ଦିଆଯିବା ସରକାରଙ୍କର ବଡ ନିଷ୍ପତି ଥିଲା । ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ କରିବା ସମୟରେ ୩ଟି ପ୍ରମୁଖ କାରଣ ପାଇଁ ଏଭଳି କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।
–ସେଗୁଡ଼ିକ ହେଲା ଦେଶରେ ଦୁର୍ନୀତିକୁ ରୋକିବା
-ଅର୍ଥନୀତିରୁ କଳାଟଙ୍କାକୁ କାଢ଼ିବା
-ନକଲି ନୋଟ୍କୁ ବାହାର କରିବା ଏବଂ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ରୋକ୍ ଲଗାଇବା।
କିନ୍ତୁ ଏହାକୁ ବିରୋଧୀମାନେ ସମାଲୋଚନା କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ଭିନ୍ନ ଯୁକ୍ତି ଦର୍ଶାଯାଇଥିଲା। ବିମୁଦ୍ରୀକରଣର ମୁଖ୍ୟ ଲକ୍ଷ୍ୟ ଅର୍ଥନୀତିରେ ନଗଦ କାରବାରକୁ କମାଇ ଡିଜିଟାଲ କାରବାର ବଢ଼ାଇବା ବୋଲି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ।
ସତ କହିବାକୁ ଗଲେ ଦେଶରେ ଏବେ ଡିଜିଟାଲ କାରବାର ବଢ଼ିଛି। ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ପାଇଁ ଭିତ୍ତିଭୂମି ପଡ଼ିଥିଲା। ଜିଏସଟି ପରେ ଡିଜିଟାଲ କାରବାର ଆଉ ଟିକେ ବ୍ୟାପକ ହୋଇଥିଲା।
କିନ୍ତୁ ଏହାକୁ ବିମୁଦ୍ରୀକରଣର ସୁଫଳ ବୋଲି କେହି ବିବେଚନା କରୁନାହାନ୍ତି, ବରଂ କରୋନା ମହାମାରୀ ଯୋଗୁଁ ଡିଜିଟାଲ କାରବାର ବଢ଼ିଥିବା ମତ ପ୍ରକାଶ ପାଉଛି। ଡିଜିଟାଲ କାରବାର ଯୋଗୁଁ ଅର୍ଥନୀତିରେ କଳାଟଙ୍କାର ଉପଯୋଗ ମଧ୍ୟ ହ୍ରାସ ପାଇଛି ବୋଲି ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲସର୍କଲସ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଥିଲା ।