Below header

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବଡ଼ ସଫଳତା, ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିଲେ ସୁପ୍ରିମ୍‌କୋର୍ଟ

ରିପବ୍ଲିକ୍‌ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ କହିଛନ୍ତି ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଏଫ୍‌ଆଇଆର୍‌କୁ ମୂଲ୍ୟାଙ୍କନ କରିବା ପରେ ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ଜଣାଯାଇଛି।

ଅଭିଯୋଗ କରିବାର ମନୋବୃତ୍ତି, ଅଭିଯୁକ୍ତଙ୍କ ପ୍ରକୃତି ଓ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ସ୍ତର ଉପରେ ହାଇକୋର୍ଟ ଧ୍ୟାନ ଦେଇନାହାନ୍ତି। ଜାମିନ୍‌ ନ ଦେଇ ହାଇକୋର୍ଟ ଭୁଲ କରିଛନ୍ତି ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ। ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ୍‌ର କାରଣର ଶୁଣାଣି କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି, ଜାମିନ୍‌ ଦେବା ବେଳେ ଏହା ଦେଖିବା ଜରୁରୀ ଯେ ଅଭିଯୁକ୍ତ ପ୍ରମାଣକୁ ନଷ୍ଟ କରିପାରେ କି, ଫେରାର ହୋଇପାରେ କି, ଅପରାଧରେ ବ୍ୟବହୃତ ସାମଗ୍ରୀ ରାଜ୍ୟର ହିତ ପାଇଁ ତିଆରି ହେଇଛି କି ନାହିଁ ଇତ୍ୟାଦି। ସମୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଏ। କିନ୍ତୁ ବମ୍ବେ ହାଇକୋର୍ଟ ସ୍ୱାଧୀନତା ରକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ଅଭିଯୋଗର ଶୁଣାଣି କରିବାରେ ବମ୍ବେ ହାଇକୋର୍ଟ ଭୁଲ କରିଛନ୍ତି ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ।

ସୁପ୍ରିମ୍‌କୋର୍ଟ କହିଛନ୍ତି ୧୧ ନଭେମ୍ବରରେ ଗୋସ୍ୱାମୀ ଓ ଅନ୍ୟମାନଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ୍‌ ସେବେ ଯାଏଁ ଲାଗୁ ରହିବ, ଯେବେ ଯାଏଁ ବମ୍ବେ ହାଇକୋର୍ଟ ଏଫ୍‌ଆଇଆର୍‌କୁ ରଦ୍ଦ କରିବା ପାଇଁ ଦାଖଲ କରାଯାଇଥିବା ପିଟିସନ୍‌ ଉପରେ ନିଷ୍ପତ୍ତିର ଶୁଣାଣି କରିନାହାନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଅର୍ଣ୍ଣବଙ୍କ ଜାମିନ୍‌ ୪ ସପ୍ତାହ ପର୍ଯ୍ୟନ୍ତ ଲାଗୁ ହେବ। ଫଳରେ ଯଦି ହାଇକୋର୍ଟ ତାଙ୍କ ଦଲିଲକୁ ଖଣ୍ଡନ କରିଦିଅନ୍ତି ତେବେ ସେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.