ଖୋର୍ଦ୍ଧା: ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ, ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ ଓ ସ୍ୱେଚ୍ଛାସେବୀ

ଟାଙ୍ଗୀ(କେନ୍ୟୁଜ୍):  କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି।  ଗତକାଲି ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । କରୋନା ସନ୍ଦେହରେ ଡାକ୍ତରଖାନା ପରିସରରେ ଜଣେ ବେକ୍ତିଙ୍କ ମୃତ ହୋଇଥିଲା । ଏହି ଖବର ତାଙ୍କ ସମ୍ପର୍କୀୟ ଜାଣିବାକୁ ପାଇବା ପରେ ପାଖ ମାଡିଲେନି ।  ଏପରିକି ଗ୍ରାମବାସୀ ମାନେ ଗାଁ  ଶ୍ମଶାନରେ  ଶବଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଏହି ଘଟଣା ବିଷୟରେ ଅବଗତ ହୋଇ  ବାଲୁଗାଁ  ଏସଡ଼ିପିଓ ମାନସ ରଞ୍ଜନ ବାରିକ   ତୁରନ୍ତ  ଚିଲିକା ପ୍ରଶାସନର ଓ ସ୍ଥାନୀୟ କିଛି ସ୍ୱଛାସେବୀଙ୍କ ସହଯୋଗରେ ମୃତବ୍ୟକ୍ତିଙ୍କ  ଶବସତ୍କାର  କରାଇଛନ୍ତି।

ସୂଚନା ମୁତାବକ, ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ(୨୫) ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଗରିବ ଘର ହୋଇଥିବାରୁ ପୁଅ ଏକ କୁକୁଡ଼ା ଫାର୍ମରେ କାମ କରି ଯାହା ଦରମା ପାଏ ସେଥିରେ ମା’ ପୁଅ ଚଳନ୍ତି। ତେବେ ଗତକାଲି ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମାଙ୍କ ସହ ସେ ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ମୁତାବକ, ଦିବାକରଙ୍କୁ ଦୀର୍ଘ ଦିନ ଧରି ଜ୍ୱର ହେଉଥିଲା।  ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ତାଙ୍କୁ ଔଷଧ ଯୋଗାଇ ଦିଆଯାବା ସହ  କୋଭିଡ ଟେଷ୍ଟ ପାଇଁ  ପରାମର୍ଶ  ଦିଆଯାଇଥିଲା । କିନ୍ତୁ ସେ ଟେଷ୍ଟ ନକରାଇ ଘରକୁ ଚାଲିଯାଇଥିଲେ।

 ଅପରାହ୍ନରେ ସମୟରେ ସେ ଗାଁରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା  ଅଧିକା ବିଗିଡି ଯାଇଥିଲା  ।  ଏହି ଖବର ଗ୍ରାମ ଅଙ୍ଗନବାଡି ଦିଦି ବାଲୁଗାଁ ମେଡିକାଲକୁ ଜଣାଇବା ପରେ  ତାଙ୍କୁ ୧୦୮ ଆମ୍ବୁଲାନ୍ସ  ଯୋଗେ ବାଲୁଗାଁ ମେଡିକାଲକୁ ନିଆଯାଇଥିଲା । ଶେଷରେ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ତେବେ ବାଲୁଗାଁ ମେଡିକାଲ ଅଧିକାରୀଙ୍କ ସୂଚନା ମୁତାବକ ଦିବବାକରଙ୍କ  ହୃଦଘାତରେ ମୃତ୍ୟୁ ହୋଇଛି ।  କିନ୍ତୁ  କରୋନା ସନ୍ଦେହରେ ଦିବାକରଙ୍କ ଶବକୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ଆସିଲେ ନାହିଁ। ଏପରିକି ଶବ ସତ୍କାର ପାଇଁ ମଧ୍ୟ ଗ୍ରାମବାସୀ ବିରୋଧ କରିବାରୁ  ଦୀର୍ଘ ୬ ଘଣ୍ଟାଧରି  ନିଜ ପୁଅର ଶବକୁ  ବାଲୁଗାଁ ମେଡିକାଲ ପରିସରରେ ଦିବାକରଙ୍କ ମା କାନ୍ଦୁଥିବାର ଦେଖିବାକୁ  ମିଳିଥିଲା।

ବିଶେଷ ସୂତ୍ରରୁ  ଖବର ପାଇ ସଙ୍ଗେ ସଙ୍ଗେ  ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଞ୍ଚି ମୃତକଙ୍କ ମା’ଙ୍କୁ ଆଶ୍ୱାସନା ଦେଇଥିଲେ।  ପରେ  ଚିଲିକା ତହସିଲଦାର ଏବଂ ବିଡ଼ିଓଙ୍କ ହସ୍ତକ୍ଷେପ କ୍ରମେ ଦିବାକରଙ୍କ ଶବ ସତ୍କାର ପାଇଁ ସ୍ଥାନୀୟ ଆଖୁପୋଖରିଆ ଶ୍ମଶାନକୁ ନେବାକୁ  ଠିକ କରାଯାଇଥିଲା।  ଏବଂ ଶବ ଦାହ ନିମନ୍ତେ ଆବଶ୍ୟକ ସରଞ୍ଜାମ ଯୋଗାଇଦିଆଯାଇଥିଲା।

ହେଲେ ଏ ସବୁ କାର୍ଯ୍ୟ ହେଲା ବେଳକୁ ରାତି ୧୨ଟା ବାଜିଯାଇଥିଲା। କୋଭିଡ଼ ସନ୍ଦେହରେ ଦିବାକରଙ୍କ ଶବ ସତ୍କାର ନିମନ୍ତେ କେହି ବି ଆଗକୁ  ଆସିଲେ ନାହିଁ । ଯାହା ଫଳରେ ମାନବିକତାର ପରିଚୟ ଦେଇ ନିଜେ ବାଲୁଗାଁ ଏସଡ଼ିପିଓ ପିପିଇ କିଟ ପିନ୍ଧି ସ୍ଥାନୀୟ ସମାଜସେବୀ ଜୀନା ପଣ୍ଡା, ସାମ୍ବାଦିକ ଶକ୍ତି ମହାପାତ୍ର ଏବଂ ମେଡିକାଲ କର୍ମଚାରୀ ଦିଲ୍ଲୀପ ବେହରାଙ୍କ ସହଯୋଗରେ ଦିବାକରଙ୍କ ଶବକୁ ସମ୍ମାନ ସହ ସତ୍କାର କରାଯାଇଥିଲା।ଅନ୍ୟପକ୍ଷରେ ବାଲୁଗାଁ ଥାନାଧିକାରୀ ରାତି ତମାମ ଶବ ସତ୍କାର ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ମଶାନ ରେ ପ୍ରହରା ଦେଇଥିଲେ। ତେବେ ପ୍ରଶାସନର ଏପରି କାର୍ଯ୍ୟକୁ ସମସ୍ତେ ଭୂୟଁସୀ ପ୍ରଶଂସା କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ବଦାନ୍ୟତାକୁ ସାଧୁବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.