ପତ୍ନୀଙ୍କ ମୃତ୍ୟୁ ପରେ ରାତି ସାରା ସାଇକେଲ ଚଲାଇ ଘରେ ପହଞ୍ଚିଲେ ସ୍ୱାମୀ, ବିନା ବିଶ୍ରାମରେ ୧୩ ଘଣ୍ଟା କଲେ ଯାତ୍ରା

କରୋନା ମହାମାରୀ ଯୋଗୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ କିଛି ଲୋକ ଏବେ ବି ସମସ୍ତ ସମସ୍ୟାକୁ ବେଶ୍ ସାହସର ସହ ସାମ୍ନା କରୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଆଗ୍ରାରୁ। ଏଠାରେ ପତ୍ନୀଙ୍କ ମୃତ୍ୟୁ ଖବର ପାଇବା ପରେ ଇନ୍ଦୋରରୁ ତାଙ୍କ ସ୍ୱାମୀ ସାଇକେଲ ଚଳାଇ ଆସିଥିବା ଦେଖାଯାଇଛି।

ରିପୋର୍ଟ ମୁତାବକ, ଇନ୍ଦୋରର ରବି ଶଙ୍କର ୧୯୮୬ ମସିହାରେ ମାଲିପୁରା ନିବାସୀ ସୁମାନଙ୍କୁ ବିବାହ କରିଥିଲେ। ମାନସିକ ରୋଗୀ ହେବା କାରଣରୁ ସେ କିଛି ଦିନ ହେବ ବାପ ଘରେ ରହି ଆସୁଥିଲେ। ଗତ କିଛି ଦିନ ତଳେ ଗୋଡ଼ ଖସିଯିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ମେ ୮ରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ରବି ଶଙ୍କରଙ୍କ ପାଖରେ ପହଞ୍ଚିବା ପରେ ସେ ଆସିବାକୁ ଚାହିଁଥିଲେ, କିନ୍ତୁ ସେଦିନ ତାଙ୍କ ଭାଉଜଙ୍କ ଦଶାହ ଥିବାରୁ ଆସି ପାରିନଥିଲେ।

ଏଣୁ ଦଶାହ କାର୍ଯ୍ୟ ସରିବା ପରେ ସେ ପତ୍ନୀଙ୍କ ପାଖକୁ ଆସିବାକୁ ବାହାରିଥିଲେ। ମାତ୍ର କୌଣସି ଗାଡ଼ି ବନ୍ଦୋବସ୍ତ ନ ହେବାରୁ ବାଧ୍ୟ ହୋଇ ସେ ସାଇକେଲରେ ବାହାରିଥିଲେ। ରାତି ସାରା ସାଇକେଲ ଚଳାଇ ସେ ସକାଳେ ଶ୍ୱଶୁର ଘରେ ପହଞ୍ଚିଥିଲେ। ସେଠାରେ ଜ୍ୱାଇଁଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ପତ୍ନୀଙ୍କ ଶେଷ ଅବସ୍ଥାରେ ତାଙ୍କ ସହ ରହି ନ ପାରିବାରୁ, ଅସ୍ଥି ବିସର୍ଜନ କାମରେ ଯୋଗ ଦେବାକୁ ସେ ଏତେ ପରିଶ୍ରମ କରି ଆସିଥିବା କହିଛନ୍ତି ରବି ଶଙ୍କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.