Below header

ବେଙ୍ଗାଲୁରୁରେ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ୍‌, ପୁଣିଥରେ ହୃଦୟ ଜିତିନେଲା ତାଙ୍କ ସରଳତା

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ୍‌ ରାହୁଲ ଦ୍ରାବିଡ୍‌ ଶୁକ୍ରବାର ବେଙ୍ଗାଲୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ୍‌ ରାହୁଲ ଦ୍ରାବିଡ୍‌ ଶୁକ୍ରବାର ବେଙ୍ଗାଲୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ତାଙ୍କ ପାଳି ଆସିବା ପର୍ଯ୍ୟନ୍ତ ସେ ଜଣେ ସାଧାରଣ ଲୋକ ପରି ଧାଡ଼ିରେ ଠିଆ ହୋଇଥିଲେ । ଭୋଟ୍ ଦେବା ପରେ ରାହୁଲ ଦ୍ରାବିଡ୍‌ ଗଣମାଧ୍ୟମ ସହ କଥା ହୋଇଥିଲେ । ସେ କହିଥିଲେ କି, ସମସ୍ତେ ଭୋଟ୍ ଦେବା ଉଚିତ୍ । ଏହି ସୁଯୋଗ କେବଳ ଗଣତନ୍ତ୍ରରେ ହିଁ ମିଳିଥାଏ ।

ସେପଟେ ମହାନ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ମଧ୍ୟ ବେଙ୍ଗାଲୁରୁରେ ନିଜର ମତ ଅଧିକାର ପ୍ରୟୋଗ କରିଥିଲେ । ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର କର୍ଣ୍ଣାଟକର ୧୪ଟି ଆସନରେ ମତଦାନ ହେଉଛି ।

ତେବେ ଦ୍ରାବିଡ ପୁଣିଥରେ ନିଜର ସରଳତା ଯୋଗୁ ଲୋକଙ୍କ ହୃଦୟ ଜିତିଯାଇଛନ୍ତି । ଜଣେ ସାଧାରଣ ଲୋକ ପରି ସେ ମଧ୍ୟ ଧାଡିରେ ଠିଆ ହୋଇ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଏବଂ ଏହାପରେ ଭୋଟ୍ ଦେଇଥିଲେ । ଦ୍ରାବିଡ ବେଙ୍ଗାଲୁରୁ ନର୍ଥର ଡାଲର କଲୋନୀସ୍ଥିତ ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ରାହୁଲ ଦ୍ରାବିଡ ନିଜେ ହିଁ କାର୍‌ ଚଳାଇ ମତଦାନ ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଲୋକଙ୍କ ଧାଡିରେ ସେ ଠିଆ ହୋଇଥିଲେ । ତେବେ ତାଙ୍କ ସରଳତାକୁ ଦେଖି ସମସ୍ତେ ପୁଣିଥରେ ତାଙ୍କର ପ୍ରଶଂସକ ପାଲଟିଛନ୍ତି ।

କହି ରଖୁଛୁ ଯେ କର୍ଣ୍ଣାଟକ ନିର୍ବାଚନ ଆୟୋଗ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଦ୍ରାବିଡଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କରିଥିଲା । କିନ୍ତୁ ଭୋଟର ତାଲିକାରୁ ତାଙ୍କ ନାମ କଟିଯାଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଦ୍ରାବିଡ ଇନ୍ଦିରାନଗରସ୍ଥିତ ନିଜ ପୈତୃକ ଘର ଛାଡି ଉତ୍ତର ବେଙ୍ଗାଲୁରୁ ଅଞ୍ଚଳକୁ ଶିଫ୍ଟ ହୋଇଯାଇଥିଲେ । ରାହୁଲ ନୂଆ ଠିକଣାକୁ ଯିବା ପରେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକୃତ କରାଇ ନ ଥିଲେ, ଯେଉଁଥିପାଇଁ ଭୋଟର ତାଲିକାରୁ ତାଙ୍କ ନାମ କଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.