ଛୋଟ ପିଲାଙ୍କର ଝାଡା ହେବାରେ ଦେଖାଦେଉଛି କି ସମସ୍ୟା ? ଆପଣାନ୍ତୁ ଏହି ଘରୋଇ ଟିପ୍ସ
ଆଜିକାଲି ଖରାପ ଜୀବନଶୈଳୀର ପ୍ରଭାବ ଯେତିକି ବଡ ଲୋକଙ୍କ ଉପରେ ପଡୁଛି, ସେତିକି ପିଲାଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି। ପିଲା ଆଜିକାଲି ଏମିତି କିଛି ଜିନିଷ ଖାଉଛନ୍ତି, ଯାହାକୁ ସେମାନେ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି। କିନ୍ତୁ ଏହାକୁ ପିଲାମାନେ ଖାଇବା ଛାଡୁନାହାନ୍ତି। ପିଲାମାନେ ମଇଦାରେ ତିଆରି ଜିନିଷ ଖାଇବାକୁ ବେଶି ଭଲ ପାଉଛନ୍ତି। ଯାହା ସେମାନଙ୍କୁ ଅନେକ ପେଟ ସମସ୍ୟା ଆଣିଦେଉଛି। କେବଳ ପିଲା ନୁହେଁ ବଡ ଲୋକଙ୍କର ପେଟରେ ଯନ୍ତ୍ରଣା, ମୋଟାପଣ ଏମିତି କିଛି ସମସ୍ୟା ଦେଖିବାକୁ ମିଳୁଛି।
ଆଉ ପିଲାମାନେ ଏହିସବୁ ଜିନିଷ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଉଛି। ସେମାନଙ୍କର ପେଟ ଖରାପ ହେଉଛି ଆଉ ସଠିକ୍ ସମୟରେ ଝାଡା ହେଉନାହିଁ। ଫଳରେ ପିଲାମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି କିମ୍ବା କମ୍ ଖାଉଛନ୍ତି।
କିନ୍ତୁ ପିଲାଙ୍କର ଏହି ସମସ୍ୟାକୁ ଦୂର କରିବା ଅତି ସହଜ। ତେଣୁ ଏପରି ଅସ୍ୱାସ୍ଥ୍ୟକର ଜିନିଷରୁ ଦୂରେଇ ରଖିବା ପାଇଁ କିଛି ଟିପ୍ସ ଅଛି, ଯାହାକୁ ନିଶ୍ଚିତ ମାନିବା ଦ୍ୱାରା ପିଲାଙ୍କର ସମସ୍ୟା ଦୂର ହେବ। ଏମିତି କିଛି ଘରୋଇ ଉପଚାର ରହିଛି, ଯାହାକୁ ଦୂର କରିବା ପାଇଁ ଆପଣ ବ୍ୟବହାର କରିପାରିବେ।
ଅମୃତଭଣ୍ଡା: ପେଟ ପାଇଁ ଅମୃତଭଣ୍ଡା ରାମବାଣ। ଭଣ୍ଡାରେ ଥିବା ଫାଇବର ଯଦି ସଠିକ୍ ମାତ୍ରାରେ ପେଟକୁ ଯାଇଥାଏ, ତେବେ ପିଲା ସୁସ୍ଥ ରହିଥାଏ। ଯଦି ଆପଣଙ୍କ ପିଲା ୬ ମାସରୁ ଅଧିକ ହୋଇଥାଏ, ତେବେ ଆପଣ ତାକୁ ଭଣ୍ଡା ଖାଇବାକୁ ଦେଇପାରିବେ। ଚେଷ୍ଟା କରନ୍ତୁ ସକାଳେ ପିଲାକୁ ଅମୃତଭଣ୍ଡାର ସ୍ମଦି କରି ପିଇବାକୁ ଦେବେ।
ଗରମ ପାଣି: ପିଲାକୁ ପ୍ରତିଦିନ ଗରମ ପାଣି ପିଆନ୍ତୁ। କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଭଲ ହୋଇଥାଏ। ପିଲାର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ। ପିଲାଙ୍କୁ ହାଲକା ଉଷୁମ ପାଣି ପିଇବାକୁ ଦେଇପାରିବେ।
ସେଓ: ପିଲାର ସ୍ୱାସ୍ଥ୍ୟ ପାଇଁ ସେଓ ବେଶ ଉପକାରୀ। ତେଣୁ ପ୍ରତିଦିନ ପିଲାକୁ ୧ଟି ସେଓ ଖାଇବାକୁ ଦେଇପାରିବେ। ଏଥିରେ ଥିବା ଫାଇବର ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ ଓ ପିଲାର ଝାଡା କଠିନ ହେବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।
ହାଇଡ୍ରେଟ୍ ରଖେ: ପିଲାମାନେ କମ୍ ପାଣି ପିଅନ୍ତି, ତେଣୁ ସେମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଯାଏ। ତେଣୁ ପିଲାକୁ ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଦିଅନ୍ତୁ। ଠିକ୍ ମାତ୍ରାରେ ପାଣି ପିଇଲେ ପିଲାର ଏପରି ସମସ୍ୟାରୁ ମୁକ୍ତି ମିଳିବ।