ଟ୍ୱିନ ସିଟିରେ କୋହଲା ପାଗ ସହ ହାଲୁକା ବର୍ଷା; ୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଟ୍ୱିନ ସିଟିରେ ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର (କେନ୍ୟୁଜ): ଟ୍ୱିନ ସିଟିରେ ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ୧୦ ଜିଲ୍ଲାର କେତେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ୩ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼। ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରୁଥିବାରୁ ଆସନ୍ତା କିଛି ଘଣ୍ଟା ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ସେହିପରି ୧୦ ଜିଲ୍ଲାର କୋହଲା ପାଗ ସହ ହାଲୁକା ବର୍ଷା ହେବା ନେଇ ପାଣିପାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ ଦେବଗଡ଼ ।
ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି । ଲଗାତର ତୃତୀୟ ଦିନରେ ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି । ତେବେ ୧୩ ତାରିଖ ପରଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ ।
ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ୧୭ ଓ ୧୮ ବେଳକୁ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ଛୁଇଁବା ଆଶଂକା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାର କେତକେ ସ୍ଥାନରେ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ ।