ଆଇଆରସିଟିର ସ୍ୱତନ୍ତ୍ର ବ୍ୟବସ୍ଥା: ଏଣିକି ବିଳମ୍ବରେ ଟ୍ରେନ୍‌ ପହଞ୍ଚିଲେ, ଯାତ୍ରୀଙ୍କୁ ମାଗଣାରେ ମିଳିବ ଖାଦ୍ୟ

ନୂଆଦିଲ୍ଲୀ : ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି ଏବଂ ରେଳ ବିଭାଗ ସେମାନଙ୍କ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଭାରତୀୟ ରେଳ ଯାତ୍ରୀମାନଙ୍କୁ ଏପରି ଅନେକ ସୁବିଧା ଯୋଗାଇଥାଏ, ଯାହା ସାଧାରଣ ଲୋକ ଜାଣି ନାହାଁନ୍ତି। ଆଜି ଆମେ ଆପଣଙ୍କୁ ସେହିପରି କିଛି ସୂଚନା ଦେଉଛୁ ଯାହା ଦ୍ୱାରା ଆପଣ ମଧ୍ୟ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ସୁବିଧା ସୁଯୋଗ ନେଇପାରିବେ। ଅଧିକାଂଶ ସମୟରେ ବିଭିନ୍ନ ଟ୍ରେନ୍‌ ବିଳମ୍ବରେ ଆସୁଥିବାରୁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼େ । ଯଦି ଆପଣଙ୍କ ସହିତ ମଧ୍ୟ ଏପରି ହେଉଛି, ତେବେ ଆପଣଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବା ପାଇଁ ଆଇଆରସିଟିସି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି।

ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଥିଲେ, ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଖାଦ୍ୟ ଆପଣଙ୍କୁ IRCTC ଦ୍ୱାରା ମାଗଣାରେ ଦିଆଯାଏ । ଭାରତୀୟ ରେଳବାଇ ର ନିୟମ ଅନୁଯାୟୀ, ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ କ୍ୟାଟରିଂ ନୀତି ଅନୁସାରେ ଜଳଖିଆ ଏବଂ ଭୋଜନ ଯୋଗାଇ ଦିଆଯାଉଛି । ଏପରି ସ୍ଥିତିରେ ଆପଣ ଏବିଷୟରେ ଅବଗତ ଥିଲେ, ଏହି ଅଧିକାରର ଲାଭ ଉଠାଇ ପାରିବେ ।

ଏହି ସୁବିଧା କେତେବେଳେ ଉପଲବ୍ଧ?

IRCTC ର ନିୟମ ଅନୁଯାୟୀ, ଯଦି ଟ୍ରେନ୍ ଦୁଇ ଘଣ୍ଟା କିମ୍ବା ତା’ଠାରୁ ଅଧିକ ବିଳମ୍ବ ହୁଏ, ତେବେ କେବଳ ମାଗଣା ମିଲ୍ ସୁବିଧା ଦିଆଯାଏ । IRCTC ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ଭାତ, ଡାଲି, ଆଚାର ପ୍ୟାକେଟ୍ ଯୋଗାଇ ଦିଆଯିବ । ଏସବୁ ନଥିଲେ ପୁରୀ, ମିକ୍ସ-ଭେଜ୍‌, ଆଚାର ପ୍ୟାକେଟ୍ ଓ ଲୁଣ ଦିଆଯିବ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କୁ ଜଳଖିଆ ପାଇଁ ଚା କିମ୍ବା କଫି ଏବଂ ଦୁଇଟି ବିସ୍କୁଟ ମଧ୍ୟ ଦିଆଯାଏ ।

ସେହିପରି ସନ୍ଧ୍ୟାରେ ଚା କିମ୍ବା କଫି ଏବଂ ଚାରି ଖଣ୍ଡ ପାଉଁରୁଟି ସହିତ ଏକ ବଟର ପରିବେଷଣ କରାଯାଏ । ଏହି ସୁବିଧା କେବଳ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ । ଅର୍ଥାତ୍ ଆପଣ ଯଦି ଶତାଦ୍ଦୀ, ରାଜଧାନୀ ଏବଂ ଦୂରୋନ୍ତୋ ପରି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଆପଣ ଏହି ସୁବିଧା ପାଇପାରିବେ ।