Below header

ମୋର ଟଙ୍କା ନିଅ ଆଉ ଜେଟ୍ ଏୟାରୱେଜକୁ ବଞ୍ଚାଅ, ବ୍ୟାଙ୍କକୁ କହିଲେ ବିଜୟ ମାଲ୍ୟା

ପୁଣି ଥରେ ଚର୍ଚ୍ଚାରେ ସୁରା ସମ୍ରାଟ ବିଜୟ ମାଲ୍ୟା । ହେଲେ ଏଥର ନିଜ କିଙ୍ଗ୍ ଫିଶର୍ ଏୟାରଲାଇନ୍ସ ପାଇଁ ନୁହେଁ ବରଂ ଜେଟ୍ ଏୟାରୱେଜ୍ ପାଇଁ । ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଅନୁରୋଧ କରି ବିଜୟ ମାଲ୍ୟା କହିଛନ୍ତି ମୋ ଟଙ୍କା ନେଇ ଯାଆ ଆଉ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜକୁ ବଂଚାଅ।

ବିଜୟ ମାଲ୍ୟା ଏନେଇ ଟୁଇଟ୍ କରି କହିଛନ୍ତି, ମୁଁ ମୋର ସମସ୍ତ ଅସ୍ଥାବର ସମ୍ପତ୍ତି କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟରେ ଦାଖଲ କରିସାରିଛି। ସେସବୁ ଟଙ୍କା ବ୍ୟାଙ୍କ ନେଉନାହାନ୍ତି କାହିଁକି । କିଛି ନହେଲେ ବି ଏସବୁ ଜେଟ୍ ଏୟାରୱେଜ୍ ବଞ୍ଚାଇବାରେ ସହାୟକ ହେବ।

ଏହା ସହ ଆହୁରୀ ମଧ୍ୟ କହିଛନ୍ତି, ଜାଣି ଖୁସି ହେଲି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଜେଟ୍ ଏୟାରୱେଜ୍କୁ ଉଦ୍ଧାର କରି ନିଯୁକ୍ତି, ଯୋଗାଯୋଗ ଏବଂ ଉଦ୍ୟୋଗ ବଞ୍ଚାଇଛନ୍ତି। ଏମିତି ଯଦି କିଙ୍ଗଫିଶର ପାଇଁ ମଧ୍ୟ ହୋଇପାରିଥାନ୍ତା । କିଙ୍ଗଫିଶରରେ ମୁଁ ୪୦୦୦ କୋଟି ନିବେଶ କରି କମ୍ପାନୀ ଏବଂ କର୍ମଚାରୀଙ୍କୁ ବଞ୍ଚାଇଲି। କିନ୍ତୁ ମୋତେ କିଛି ପରିଚୟ ମିଳିଲାନି, ବରଂ ହଇରାଣ କରାଗଲା । ଭାରତର ପ୍ରମୁଖ ବିମାନ ସେବା, ଶ୍ରେଷ୍ଠ କର୍ମଚାରୀ ଏବଂ ଯୋଗାଯୋଗକୁ ସେହି ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ସାହାଯ୍ୟ କଲେନି।

ସୂଚନାଯୋଗ୍ୟ, ପଚିଶ ବର୍ଷ ତଳେ ଜେଟ୍ ଏୟାରୱେଜ୍କୁ ପ୍ରତିଷ୍ଠା କରିଥିଲେ ନରେଶ ଗୋୟଲ । କିନ୍ତୁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍ରୁ ଇସ୍ତଫା ଦେଇଛନ୍ତି ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନୀତା ଗୋୟଲ । ଆଜି ଜେଟ୍ ବୋର୍ଡରୁ ମୋଟ୍ ତିନି ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଗୋୟଲ ପତିପତ୍ନୀଙ୍କ ବ୍ୟତୀତ ଆବୁଧାବିର ବିମାନ କଂପାନି ଏତିହାଦ୍ର ମନୋନୀତ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି। ଗୋୟଲ ଏବଂ ତାଙ୍କ ପତ୍ନୀ ଅନୀତା ସୋମବାର ଦିନ ହିଁ କମ୍ପାନୀ ଛାଡ଼ିବା ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୧୫୦୦ କୋଟି ନିବେଶ କରି ଏହି କମ୍ପାନୀକୁ ଆର୍ଥିକ ସଙ୍କଟାରୁ ବଞ୍ଚାଇବାକୁ ବାହାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.