ପ୍ରଥମ ଭାରତୀୟ ଅଭିନେତା ଭାବେ ଅମିତାଭ ବଚ୍ଚନଙ୍କୁ ମିଳିବ ୨୦୨୧-ଏଫ୍‌ଆଇଏଏଫ୍ ଆଓ୍ଵାର୍ଡ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜର ଫିଲ୍ମ କ୍ୟାରିଅରରେ ଅନେକ ବଡ଼ବଡ଼ ଆଓ୍ଵାର୍ଡ ହାସଲ କରିଛନ୍ତି। ଏବେ ପୁଣି ଥରେ ବିଗ୍‌-ବିଙ୍କୁ ଆଉ ଏକ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ଆସନ୍ତା ୧୯ ତାରିଖରେ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍‌ ଫିଲ୍ମ ଆର୍ଚିଭ ଦ୍ୱାରା ୨୦୨୧-ଏଫ୍‌ଆଇଏଏଫ୍‌ ଆଓ୍ଵାର୍ଡରେ ସମ୍ମାନିତ କରାଯିବ। ଇଣ୍ଟରନ୍ୟାସନାଲ ଡାଇରେକ୍ଟର କ୍ରିଷ୍ଟୋଫର ନୋଲେନ ଏବଂ ମାର୍ଟିନ ସ୍କାସିଜୀ ଏହି ଆଓ୍ଵାର୍ଡରେ ବିଗ୍‌-ବିଙ୍କୁ ସମ୍ମାନିତ କରିବେ।

ଅମିତାଭ ବଚ୍ଚନ ଭାରତୀୟ ସିନେମା ଜଗତର ପ୍ରଥମ ବ୍ୟକ୍ତି, ଯିଏ ଏହି ଆଓ୍ଵାର୍ଡ ପାଇବେ। ବିଶ୍ୱ ଫିଲ୍ମ ଜଗତରେ ତାଙ୍କର ଅନେକ ଯୋଗଦାନ ରହିଛି। ଓ୍ଵାଲର୍ଡ ଫିଲ୍ମ ହେରିଟେଜରେ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ପାଇଁ ଅମିତାଭ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ବିଗ୍‌-ବି ଫିଲ୍ମ ହେରିଟେଜ ଫାଉଣ୍ଡେସନର ଆମ୍ବାସାଡର ମଧ୍ୟ । ଏହାକୁ ମିଶାଇ ଅମିତାଭ ୪ଟି ନ୍ୟାସନାଲ ଆଓ୍ଵାର୍ଡ , ୧୫ଟି ଫିଲ୍ମ ଫେୟାର ଆଓ୍ଵାର୍ଡ ଏବଂ ୪ଟି ଆଇଫା ଆଓ୍ଵାର୍ଡ ହାସଲ କରିସାରିଛନ୍ତି। ଅନ୍ୟପଟେ ତାଙ୍କୁ ପଦ୍ମଶ୍ରୀ , ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

ବର୍ତ୍ତମାନ ବିଗ୍‌-ବି ଅଜୟ ଦେବଗନଙ୍କ ଦ୍ୱାରା ନିର୍ଦ୍ଦେଶିତ “ମେଡେ” ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ଫିଲ୍ମରେ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ ଅମିତାଭ ବଚ୍ଚନଙ୍କ ଅପକମିଙ୍ଗ ଫିଲ୍ମ ଅୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ଆଲିଆ ଭଟ୍ଟ ଏବଂ ରଣବୀର କପୁର ମଧ୍ୟ ନଜର ଆସିବେ।