ଦିନ ଦ୍ୱିପ୍ରହରରେ ଲୁଟ୍‌: ଆଖି ପିଛୁଳାକେ ସୁନା ଅଳଙ୍କାର ଥିବା ବ୍ଯାଗ୍‌ ଧରି ଚମ୍ପଧ ମାରିଲେ ୨ ଲୁଟେରା

କଳାହାଣ୍ଡି: ଦିନ ଦ୍ୱିପ୍ରହରରେ ଲୁଟ୍‌ । ଆଖି ପିଛୁଳାକେ ସୁନା ଅଳଙ୍କାର ଥିବା ବ୍ଯାଗ୍‌ ଧରି ଚମ୍ପଧ ମାରିଲେ ୨ ଲୁଟେରା । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ଏକ ସୁନା ଦୋକାନ ସମ୍ମୁଖରେ। ସୂଚନା ମୁତାବକ, ଜୁନାଗଡ଼ କଲମପୁର ଛକ ନିକଟରେ ଥିବା କାଞ୍ଚନ ଜୁଏଲରସର ମାଲିକ ରଞ୍ଜନ କୁମାର ସାହୁ ସବୁଦିନ ଭଳି ଆଜି ମଧ୍ୟ ସକାଳୁ ସୁନା ଦୋକାନ ଖୋଲିବାକୁ ଆସିଥିଲେ । ବିକ୍ରି ପାଇଁ ଘରୁ ନେଇ ଆସିଥିବା ସୁନା ଓ ରୁପା ବ୍ୟାଗ କୁ ତଳେ ରଖି ତାଲା ଖୋଲିବା ସମୟରେ, ଆଗରୁ ଯୋଜନା ମୁତାବକ ଛପି ରହିଥିବା ଲୁଟେରା ସୁନା ବ୍ୟାଗକୁ ଲୁଟ କରି ଚମ୍ପଟ ମାରିଥିଲେ ।

୨ ଜଣ ହେଲମେଟ ପିନ୍ଧି ମୁହଁରେ ମାସ୍କ ଲଗେଇ ପୂର୍ବ ଯୋଜନା ମୁତାବକ ମୌକାକୁ ଜଗି ବସିଥିଲେ । ଜଣେ ସୁନା ବ୍ୟାଗକୁ ଲୁଟ କଲା ବେଳକୁ ଅନ୍ୟ ଜଣେ ବ୍ଲାକ୍‌ ପଲସର ଷ୍ଟାର୍ଟ କରି ଅପେକ୍ଷା କରିଥିଲେ । ଆଉ ବ୍ୟାଗ୍‌ ଉଠାଇ ସଂଗେ ସଂଗେ ବାଇକ୍‌ରେ ବସି ପବନ ଭଳି ପଳାଇଗଲେ । ଏହି ଲୁଟ୍‌ର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି।

ଲୁଟ ସୁନା ଓ ରୁପାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ବୋଲି ଜଣାପଡିଛି । ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଁଚି ପାଖାପାଖି ଦୋକାନ ମାନଙ୍କ ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି । ଜୁନାଗଡ଼ ସହର ଏକ ଵ୍ୟସ୍ତ ବହୁଳ ବାଣିଜ୍ୟ ସହର ହୋଇଥିବାରୁ ଦିନ କୁ ଦିନ ଏଠାରେ ଚୋରି ମଧ୍ୟ ବଢିବାରେ ଲାଗିଛି । ତେଣୁ ଦୋକାନୀ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ପୋଲିସ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ତଦନ୍ତ ପାଇଁ ଦାବି ହେଉଛି ।