Below header

ଆଜି ନାମାଙ୍କନ ପତ୍ର ଭରିଲେ ବର୍ଷା, ଏପଟେ ଅନୁଭବଙ୍କ ନାହିଁ ଦେଖା

ବର୍ଷା ଓ ଅନୁଭବ ଘରୋଇ ହିଂସା ମାମଲାରେ ନୂଆ ମୋଡ, ଆଜି କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି…

କଟକ (କେନ୍ୟୁଜ୍‌): ଆଜି କୋର୍ଟରେ ହାଜର ହେଲେନି ଅନୁଭବ । ହଁ ଆଜ୍ଞା ବର୍ଷା ଓ ଅନୁଭବ ମାମଲା ଏବେବି ଛିଡ଼ିନି । ଇଏ ଅବଶ୍ୟ ବିବାହ ବିଚ୍ଛେଦ ମାମଲା ନୁହେଁ । ଘରୋଇ ହିଂସା ମାମଲା । ଏହି ମାମଲାରେ କୋର୍ଟରେ ହାଜର ହେଲେନି ଓଲିଉଡ୍‌ ସୁପର ଷ୍ଟାର ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ମାମଲାରେ ଅନୁଭବ ଓ ଦୁଇ ସହଯୋଗୀଙ୍କୁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଟାଇମ ପିଟିସନ ଜରିଆରେ ସମୟ ମାଗିଛନ୍ତି ଅନୁଭବ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଛନ୍ତି ଅନୁଭବ। କୋର୍ଟ ଆବେଦନକୁ ଗ୍ରହଣ କରି ସମୟ ଦେଇଛନ୍ତି। ଆସନ୍ତା ସୋମବାର କୋର୍ଟରେ ହାଜର ହେବେ ଅନୁଭବ ମହାନ୍ତି ଓ ତାଙ୍କ ସହଯୋଗୀ ।

ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ କଟକ ଜେଏମଏଫସି ସ୍ଵତନ୍ତ୍ର କୋର୍ଟରେ ଆଜି ଚାର୍ଜ ଫ୍ରେମ ହେବାର ଥିଲା । ଆସନ୍ତୁ ନଜର ପକାଇବା କଣ ପାଇଁ ବର୍ଷା ମକଦ୍ଦମା କରିଛନ୍ତି । ଏପଟେ ତାଙ୍କ ଅଭିଯୋଗର ମାମଲାକୁ ନେଇ ଅନୁଭବ କୋର୍ଟରେ ଅନୁପସ୍ଥିତ ଥିବା ବେଳେ ସେପଟେ ବର୍ଷା ବିଧାୟକ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି । ସେ ବିଜେଡିରୁ ବଡ଼ଚଣା ବିଧାୟକ ପ୍ରାର୍ଥୀ ଭାବେ ରୋଡ ସୋ କରି ଯାଜପୁରରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏ ବେ ମନେ ପକାଇ ଦେଉଛୁ ବର୍ଷଙ୍କ ଅଭିଯୋଗ ସମ୍ପର୍କରେ । ୨୦୨୦ ମସିହାରେ ବର୍ଷାଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା । ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯାତନା, ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ଅନୁଭଵଙ୍କ ଡିସଚାର୍ଜ ପିଟିସନକୁ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ବର୍ଷାଙ୍କ ଅଭିଯୋଗ ସମ୍ପର୍କିତ ଆବଶ୍ୟକ ତଥ୍ୟ ପ୍ରମାଣ ଥିବା ଦର୍ଶାଇ ଥିଲେ ସରକାରୀ ଏପିପି । ଆଜି ଅନୁଭବ ଅନୁପସ୍ଥିତ ରହିବାରୁ ମାମଲାଟିର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ।

ସାଂସଦ-ବିଧାୟକଙ୍କ ବିରୋଧରେ ରହିଥିବା ଫୌଜଦାରୀ ମାମଲା ଶୁଣାଣି ପାଇଁ ଗଠିତ ‘ଜେଏମଏଫସି’ ଦୀପଙ୍କର ବଳଙ୍କ ଅଦାଲତରେ ଅନୁଭବଙ୍କ ଡିସଚାର୍ଜ ପିଟିସନର ଶୁଣାଣି ହୋଇଥିଲା । ଚାର୍ଜସିଟରେ ରହିଥିବା ତଥ୍ୟ ପ୍ରମାଣକୁ ବିଚାରକୁ ନେଇ ଅନୁଭବଙ୍କ ପିଟିସନକୁ ଖାରଜ କରି ଦେଇଥିଲେ କୋର୍ଟ । ପିଟିସନ ଖାରଜ କରିବା ପରେ ଅନୁଭବଙ୍କ ବିରୋଧରେ ଅଦାଲତରେ ମାମଲାର ଶୁଣାଣି ଜାରି ରହିବ । ମେ’ ୧୦ ତାରିଖରେ ମାମଲାରେ ଚାର୍ଜଫ୍ରେମ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଯାହାକି ଅନୁଭବଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି ମାମଲାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ଦାଖଲ କରାଯିବ । ମାମଲାର ଶୁଣାଣି ସମୟରେ ସେମାନେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ତେବେ ଆଜି ସେ ହାଜର ହୋଇ ନାହାନ୍ତି ।

୨୦୨୦ ମସିହାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଏତଲା ଦେଇଥିଲେ । ପୋଲିସ ଭାରତୀୟ ଦଣ୍ଡ ସଂହିତା (ଆଇପିସିର) ଦଫା-୪୯୮(କ), ୩୪୧, ୫୦୬ ଓ ୩୪ ଅନୁସାରେ ଅନୁଭବ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ପୋଲିସ ୨୦୨୩ ମସିହା ଡିସେମ୍ବର ୧୮ ତାରିଖରେ ପ୍ରଥମେ ଚାର୍ଜସିଟ ଦାଖଲ କରିଥିଲା । ଉପଯୁକ୍ତ ପ୍ରମାଣ ନଥିବାରୁ ଏହି ମାମଲାରୁ ତାଙ୍କୁ ଡିସଚାର୍ଜ କରାଯାଉ ବୋଲି ଦର୍ଶାଇ ଅନୁଭବଙ୍କ ତରଫରୁ ଏକ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ତେବେ ଅନୁଭବଙ୍କ ପିଟିସନକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । କୋର୍ଟ ଶୁଣାଣିରେ ଏହି ମାମଲାକୁ ଖାରଜ କରିବା ସହ ଚାର୍ଜଫ୍ରେମ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।…. ଏବେ ଅପେକ୍ଷା ପରବର୍ତ୍ତୀ ଶୁଣାଣିକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.