ମା’..ସ୍ୱର୍ଗୀୟ ଚେତନାର ଏକ ଉତ୍ସର୍ଗୀକୃତ ଅନୁଭବ, ଆଜି ବିଶ୍ୱ ମାତୃତ୍ୱ ଦିବସରେ ଏ କାହାଣୀ ସବୁଠୁ ଭିନ୍ନ

“କାଳିଆ ରେ”…. । ଏତିକି ଡାକ ହିଁ, ଯଥେଷ୍ଟ । କେଉଁଠି ଥିଲେ ବି, ସଙ୍ଗେସଙ୍ଗେ ସେ ପାଖକୁ ଦୈାଡି ଆସେ । ସେ ଘର ଲୋକ ହୁଅନ୍ତୁ, କି’ ପାଖ ପଡୋଶୀ । ସାଙ୍ଗସାଥୀଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କ ପାଖରେ, ସେ ଅତି ଆପଣାର ।

ଭଞ୍ଜନଗର(କେନ୍ୟୁଜ):  “କାଳିଆ ରେ”…. । ଏତିକି ଡାକ ହିଁ, ଯଥେଷ୍ଟ । କେଉଁଠି ଥିଲେ ବି, ସଙ୍ଗେସଙ୍ଗେ ସେ ପାଖକୁ ଦୈାଡି ଆସେ । ସେ ଘର ଲୋକ ହୁଅନ୍ତୁ, କି’ ପାଖ ପଡୋଶୀ । ସାଙ୍ଗସାଥୀଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କ ପାଖରେ, ସେ ଅତି ଆପଣାର ।

କାଳିଆ । ବୟସ ପାଖାପାଖି ୧୨ ବର୍ଷ । ମାତ୍ର ଚାରିବର୍ଷ ବୟସରୁ, ଏକ ଘଟଣାମୟ ପରିସ୍ଥିତିରେ ତା’ ନୂଆଁ ଜୀବନ ଆରମ୍ଭ ହୋଇଛି । ଅତୀତର କଥା, କିଛି ମନେନାହିଁ । ବର୍ତମାନ ହିଁ ତା’ପାଇଁ ସବୁକିଛି । ଆଉ ଏ ହେଉଛନ୍ତି, କାଳିଆର ମା’ ରେଣୁ । ଜଣେ ଭିନ୍ନକ୍ଷମ ଏବଂ ଅବିବାହିତ । ତଥାପି, ଜଣେ ଛୁଆର ମା’ । କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି, ଶୁଣି ନିଅନ୍ତୁ ନିଜେ ରେଣୁ କ’ଣ କହୁଛନ୍ତି ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ, ବେଣିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମାଧବରିଡା ଗାଁର ପର୍ଶୁରାମ ଲେଙ୍କାଙ୍କ ଝିଅ, ରେଣୁ । ଦୁଇ ପୁଅ , ତିନି ଝିଅଙ୍କ ମଧ୍ୟରୁ, ପିଲାଟି ବେଳୁ ସେ ଭିନ୍ନକ୍ଷମ । ସବୁ ପୁଅ, ଝିଅଙ୍କର ବିବାହ ସରିଛି । ହେଲେ, ରେଣୁ ଅବିବାହିତ । ଗାଁରୁ ଯାଇ, କୋରାପୁଟ ଜିଲ୍ଲାରେ ଏକ ଆଶ୍ରମ ସ୍କୁଲରେ ରହି, ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଆଠବର୍ଷ ପୂର୍ବରୁ ସେଠାକାର ସ୍ଥାନୀୟ କିଛିଲୋକ, ଏକା ଏକା ବୁଲୁଥିବା ଏହି କାଳିଆକୁ ଉଧାର କରି, ରେଣୁଙ୍କ ହାତକୁ ଟେକିଦେଲେ ।

ସେହିଦିନ ଠାରୁ ଛୁଆଟିର ଦାୟିତ୍ୱ ନେଲେ । କାଳିଆର ମା’ ହୋଇଗଲେ, ରେଣୁ । ବାତ୍ସଲ୍ୟ-ମମତାର ନୂଆଁ ସମ୍ପର୍କରେ ଯୋଡିହୋଇ, ଉଭୟେ ଜୀବନ-ଜୀଇଁବା ଆରମ୍ଭ କଲେ । ରେଣୁଙ୍କ ପରିବାର ଲୋକ ମଧ୍ୟ, ଉଭୟଙ୍କୁ ମା’-ପୁଅର ସ୍ୱୀକୃତି ଦେଲେ । କୋରାପୁଟ ଆଶ୍ରମ ସ୍କୁଲରେ ରେଣୁ ରହୁଥିବା ବେଳେ, ମାଧବରିଡା ଗାଁରେ ବାପା-ମା’ଙ୍କ ପାଖରେ ଏବେ ରହୁଛି, କାଳିଆ । ଘରେ ଥିବା ଅନ୍ୟ ନାତି-ନାତୁଣୀଙ୍କ ଭଳି , କାଳିଆ ମଧ୍ୟ ନାତି ହୋଇ ରହିଛି, ଅଜା-ଆଇଙ୍କ ପାଖରେ ।

family

ମାଧବରିଡା ଗାଁ ଏବେ, କାଳିଆର ଅଜାଘର ହୋଇଛି । ପାଖ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ଭଲ ଖେଳା-ଖେଳି ସହ ଚିତ୍ର ଆଙ୍କେ । ଘର ଲୋକଙ୍କ ଠାରୁ ଆରମ୍ଭ କରି ସାହି-ପଡୋଶୀଙ୍କ ବୋଲ-ହାକ କରିବାରେ, ହେଳା କରେନି । ଛୋଟପିଲା ହେଲେ ବି’ କାଳିଆର ସାହସକୁ ସମସ୍ତେ ପ୍ରଶଂସା କରନ୍ତି । ପାଠ ପଢି, ସୈନ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛା ରଖିଛି, କାଳିଆ । ଏବେ କାଳିଆକୁ ସହାୟତା ଜରୁରୀ ହୋଇଛି । ସେହି ଦୃଷ୍ଟିରୁ ସରକିରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି, ସ୍ଥାନୀୟ ସରପଞ୍ଚ ।

ଗୋଟିଏ ପଟେ ଜଣେ ଆଶ୍ରିତ ସନ୍ତାନର ଭବିଷ୍ୟତ, ଅନ୍ୟପଟେ ଗୋଟିଏ ପରିବାରର ସ୍ବେଛାକୃତ ସ୍ନେହ । ଏହାରି ଭିତରେ ଜଣେ ଦରଦୀ ମଣିଷର, ମା’ ପଣିଆ । କାଳିଆ ଭଳି ଜଣେ ଅନାଥ ପାଇଁ, ମା’ ଓ ମହାନତାର ପରିଚୟ ସୃଷ୍ଟି କରିଛନ୍ତି, ରେଣୁ ଏବଂ ତାଙ୍କ ପରିବାର ଲୋକେ । ସତରେ ମା’….ସ୍ୱର୍ଗୀୟ ଚେତନାର ଏହା ଏକ ଉତ୍ସର୍ଗୀକୃତ ଅନୁଭବ । ଏହି ଶବ୍ଦର ସୃଷ୍ଟି, କେବେ ଏବଂ କେଉଁଠୁ ଆରମ୍ଭ ହେଲା, ତାହା ଭିନ୍ନ କଥା । କିନ୍ତୁ ମା’ ଡାକରେ ରହିଥିବା ଅନାବିଳ ସ୍ନେହ, ପ୍ରତ୍ୟେକ ସନ୍ତାନ ପାଇଁ ଚିରନ୍ତନ ସ୍ମୃତି ନିଶ୍ଚୟ । ତେବେ “ବିଶ୍ୱ ମାତୃତ୍ୱ ଦିବସ” ଅବସରରେ, ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ଆଜିର ଏହି ମା’ ପୁଅଙ୍କ କଥା ।

 

Leave A Reply

Your email address will not be published.