KGF ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ମାର୍ଚ୍ଚ ୨୭ରେ ଲଞ୍ଚ୍‌ ହେବ ୟଶଙ୍କ କେଜିଏଫ୍‌-୨ର ଦମ୍‌ଦାର ଟ୍ରେଲର

୨୦୧୮ରେ ରିଲିଜ୍‌ ହୋଇଥିବା କନ୍ନଡ଼ ଫିଲ୍ମ କେଜିଏଫ୍‌: ଚାପ୍ଟର ୧ର ଅଭୁତପୂର୍ବ ସଫଳତା ପରେ ଦଶକ ଏହାର ଦ୍ୱିତୀୟ ପାର୍ଟ ଦେଖିବାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ଫିଲ୍ମର ଏକାଧିକ ପୋଷ୍ଟର ବି ରିଲିଜ୍‌ ହୋଇଛି। ଏବେ ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଫିଲ୍ମ ନିର୍ମାତା ଘୋଷଣା କରିଛନ୍ତି ଯେ ୨୭ ମାର୍ଚ୍ଚ ସନ୍ଧ୍ୟା ୬ଟା ୪୦ରେ କେଜିଏଫ୍‌ ୨ର ଟ୍ରେଲର ରିଲିଜ୍‌ ହେବ। ଏହି ଘୋଷଣା ସହ ଫିଲ୍ମର ଏକ ନୂଆ ପୋଷ୍ଟର ବି ସେୟାର କରାଯାଇଛି। ପୋଷ୍ଟରରେ ୟଶ୍‌ଙ୍କ ଦମ୍‌ଦାର ଲୁକ୍‌ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫଟୋ ସହ କ୍ୟାପସନ୍‌ରେ ଲେଖାଯାଇଛି- ଝଡ଼ ପୂର୍ବରୁ ସବୁବେଳେ ଘଡ଼ଘଡ଼ି ମାରେ…।

କନ୍ନଡ଼ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମ୍‌ ଭାଷାରେ ଡବିଂ କରାଯିବ। କେଜିଏଫ୍‌ ୨ ଚଳିତବର୍ଷ ୧୪ ଏପ୍ରିଲରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ। ଫିଲ୍ମର ସାଟେଲାଇଟ୍‌ ରାଇଟ୍ସ ଜି ତାମିଲ, ଜି ତେଲୁଗୁ, ଜି କେରଳମ୍‌ ଓ ଜି କନ୍ନଡ଼ କିଣିଛନ୍ତି।

ଫିଲ୍ମର ପ୍ରଥମ ପାର୍ଟ ଭଳି ଏଥିରେ ମଧ୍ୟ ୟଶ ଓ ଶ୍ରୀନିଧି ସେଟ୍ଟୀ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ରବୀନା ଟଣ୍ଡନ ଓ ସଞ୍ଜୟ ଦତ୍ତ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ସଞ୍ଜୟ ଫିଲ୍ମରେ ଅଧିରା ଭାବେ ନେଗେଟିଭ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ତାଙ୍କ ପ୍ରଥମ ଲୁକ୍‌ ପୂର୍ବରୁ ହିଁ ଦର୍ଶକେ ଦେଖି ସାରିଛନ୍ତି। କରୋନା ଯୋଗୁ ଫିଲ୍ମର ରିଲିଜ୍‌ ଡେଟ୍‌ ଅନେକ ଥର ବଦଳିବା ପରେ ଏପ୍ରିଲ ୧୪ ଫାଇନାଲ ହୋଇଛି।