Below header

୧୨୬ ବର୍ଷୀୟ ଯୋଗଗୁରୁ ସ୍ୱାମୀ ଶିବାନନ୍ଦଙ୍କ ମହାନତା, ପଦ୍ମଶ୍ରୀ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମାରିଲେ ମୁଣ୍ଡିଆ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏ ଅବସରରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ବାରଣାସୀର ୧୨୬ ବର୍ଷୀୟ ସ୍ୱାମୀ ଶିବାନନ୍ଦ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ଶିବାନନ୍ଦଙ୍କ ବେଶଭୂଷା ତଥା ବ୍ୟବହାର ତାଙ୍କୁ ସମସ୍ତଙ୍କ ଠାରୁ ନିଆରା କରିଛି। ଏବେ ସ୍ୱାମୀ ଶିବାନନ୍ଦଙ୍କ ପୁରସ୍କାର ଗ୍ରହଣ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ଶିବାନନ୍ଦଙ୍କ ନିଚ୍ଛକ ବ୍ୟବହାର ଦେଖି ଉଦ୍‌ଭୁତ ହୋଇଥିବା ଦେଖାଯାଇଛି।

ପଦ୍ମଶ୍ରୀ ପୁରସ୍କାର ନେବାକୁ ଅନ୍ୟ ବ୍ୟକ୍ତି ବିଶେଷ ସୁନ୍ଦର ବେଶ ପୋଷାକ ପିନ୍ଧି ପହଞ୍ଚିଥିବା ବେଳେ ଶିବାନନ୍ଦ କିନ୍ତୁ ଖାଲି ପାଦରେ ପହଞ୍ଚିଥିଲେ। ତାଙ୍କ ପୋଷାକ ବି ବେଶ୍‌ ସାଧାରଣ ଥିଲା। ସେ ସାଧାରଣ ଧୋତି ପାଇଜାମା ପିନ୍ଧି ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। କିନ୍ତୁ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଏହି ଶତାୟୁ ଯୋଗଗୁରୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ମନ୍ତ୍ରୀମାନେ ବସିଥିବା ସ୍ଥାନକୁ ଯାଇ ନତମସ୍ତକ ହୋଇଥିଲେ। ସେ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରିଥିଲେ। ଶିବାନନ୍ଦଙ୍କ ଏହି ଭାବ ଦେଖି ମୋଦି ମଧ୍ୟ ନିଜ ଚେୟାରରୁ ଉଠିଯାଇଥିଲେ ଓ ଶିବାନନ୍ଦଙ୍କ ସମ୍ମାନରେ ନଇଁଥିଲେ।


ଏହା ପରେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଶିବାନନ୍ଦ ପୁଣିଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଆଣ୍ଠୁ ମାଡ଼ି ବସି ମୁଣ୍ଡିଆ ମାରିଥିଲେ। ସ୍ୱାମୀ ଶିବାନନ୍ଦଙ୍କୁ ନିଜ ସାମ୍ନାରେ ମୁଣ୍ଡିଆ ମାରୁଥିବାର ଦେଖି ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ନିଜ ଚେୟାରରୁ ଉଠି ଆସି ତାଙ୍କୁ ଉଠାଇ କୋଳେଇ ନେଇଥିଲେ।

ସ୍ୱାମୀ ଶିବାନନ୍ଦଙ୍କ ଏହି ମହାନତାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିସହ ୧୨୬ ବର୍ଷ ବୟସରେ ଯୋଗ ଯୋଗୁ ସେ ଫିଟ୍‌ ଥିବାର ବି ଦେଖାଯାଇଛି। ଲୋକମାନେ ଭିଡିଓକୁ ଖୁବ୍‌ ପସନ୍ଦ କରିବା ସହ ସ୍ୱାମୀ ଶିବାନନ୍ଦଙ୍କର ଏହି ସରଳତାକୁ ପ୍ରଶଂସା କରୁଛନ୍ତି।

 Also Read: ହିମାଚଳର ପ୍ରଥମ ମହିଳା ଡଗ୍‌ ହ୍ୟାଣ୍ଡେଲର ହେଲେ ପ୍ରିୟା ଠାକୁର, ପ୍ରତିକୂଳ ପରିସ୍ଥିତିରେ ଯୋଗାଇବେ ସୁରକ୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.