ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଭିତରେ ସେନାମୁଖ୍ୟଙ୍କ ବୟାନ୍ : କହିଲେ, ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ନାହିଁ ଠିକ୍ ସୂଚନା

ନୂଆଦିଲ୍ଲୀ : ଅଗ୍ନିପଥ ସ୍କିମ ବିଷୟରେ ଯୁବପିଢ଼ି ଠିକ୍‌ରେ ଜାଣି ନାହାନ୍ତି । ଯେତେବେଳେ ସେମାନେ ଜାଣିବେ, ସେମାନଙ୍କ ବିଶ୍ୱାସ ହେବ ଏ ସ୍କିମ କେବଳ ଯୁବପିଢି ପାଇଁ ନୁହଁ ସମସ୍ତଙ୍କ ଲାଗି ଲାଭଦାୟକ। ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏହା କହିଛନ୍ତି। ସେ ସୂଚନା ଦେଇଛନ୍ତି ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଦୁଇ ଦିନ ଭିତରେ ପ୍ରକାଶ ପାଇବ ବିଜ୍ଞପ୍ତି। ଏହାପରେ ସେନା ନିଯୁକ୍ତି ଦାୟିତ୍ୱରେ ଥିବା ସଂସ୍ଥା ରେଜିଷ୍ଟ୍ରେସନ ପାଇଁ ତାରିଖ ଧାର୍ଯ୍ୟ କରିବେ। ପ୍ରଥମ ପର୍ଯ୍ୟାୟ ଅଗ୍ନିବୀରଙ୍କ ଟ୍ରେନିଂ ଡିସେମ୍ବର ୨୦୨୨ରେ ଆରମ୍ଭ ହେବ। ଆସନ୍ତା ବର୍ଷ ମଧ୍ୟଭାଗ ବେଳକୁ ସେମାନେ ନିୟୋଜିତ ଲାଗି ପ୍ରସ୍ତୁତ ହୋଇଯିବେ ବୋଲି କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ।

ସେପଟେ, ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ । କେନ୍ଦ୍ର ସରକାର ସେନା ବାହିନୀ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନାରେ ବୟସ ସୀମା ବୃଦ୍ଧି କରିଛନ୍ତି ।