ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁକାବିଲା ମନ୍ତ୍ର: ପିଇବା ପାଣି ଠାରୁ ଆରମ୍ଭ କରି ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ( କେନ୍ୟୁଜ): ପ୍ରତିଟି ଜୀବନ ମୂଲ୍ୟବାନ, ଏହି ନୀତିରେ ସବୁ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରୁହ। ରାଜ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ବର୍ଷ ଜୁନରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟ ଆସେ। ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି।

ଏ ବାବଦରେ ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି କହିଥିଲେ ମୁଖ୍ୟମନ୍ତ୍ରୀ। ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଆଦି ବ୍ୟବସ୍ଥାଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ। ଏହାସହ ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ଯମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ବର୍ତ୍ତମାନ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ରହିଛି। ଆହୁରି ୫୫ଟି ଆଶ୍ରୟସ୍ଥଳ ର୍ନିମାଣ କରାଯାଉଥିବା ନେଇ ବୈଠକରେ ସୂଚନା ଦେଇଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.