ଦୀପାବଳି ପରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ; ଡିସେମ୍ବର ୧୫ ପୂର୍ବରୁ ଆସିପାରେ ଫଳାଫଳ
ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡ଼ରେ ଦୁଇ ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ।

ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡ଼ରେ ଦୁଇ ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ। ନିର୍ବାଚନ ଆୟୋଗ ୫ଟି ରାଜ୍ୟ ଗସ୍ତ ପରେ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁସାରେ, ନଭେମ୍ବରରେ ଦୀପାବଳି ପରେ ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ୫ଟି ରାଜ୍ୟରେ ମତଦାନ କରାଇବାର ଯୋଜନା ରହିଛି।
ଏ ସମସ୍ତ ରାଜ୍ୟରେ ଡିସେମ୍ବର ୧୫ ପୂର୍ବରୁ ଭୋଟ୍ ଗଣନା ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁମୋଦନ ପରେ ନିର୍ବାଚନ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ମଞ୍ଜୁରୀ ଦିଆଯିବ ଏବଂ ଏହାପରେ ଘୋଷଣା କରାଯିବ। ଆଜି ପର୍ଯ୍ୟବେକ୍ଷକ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂତ୍ରରୁ ଜଣାପଡ଼ିଛି ଯେ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଅଲଗା ଅଲଗା ହୋଇପାରେ, କିନ୍ତୁ ଭୋଟ୍ ଗଣନା ଏକସାଥୀରେ ହେବ।
ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୧୭ରେ ଶେଷ ସରୁଛି। ବିଜେପିର ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ଉତ୍ତର-ପୂର୍ବ ରାଜ୍ୟରେ କ୍ଷମତାରେ ଅଛି। ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେବ।
ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) କ୍ଷମତାରେ ଥିବାବେଳେ ମଧ୍ୟ ପ୍ରଦେଶରେ ବିଜେପି ଶାସନ ଗାଦିରେ ଅଛି। ସେପଟେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସର ସରକାର ଅଛନ୍ତି।