Below header

ବୁଲଢାଣା ବସ୍‌ ଦୁର୍ଘଟଣା : ମଦ ନିଶାରେ ବସ୍‌ ଚଳାଉଥିଲେ ଡ୍ରାଇଭର, ଫରେନ୍ସିକ ଯାଞ୍ଚ ରିପୋର୍ଟରୁ ଖୁଲାସା

ଟାୟାର ଫାଟିବା ନୁହେଁ ବରଂ ଡ୍ରାଇଭର ଯୋଗୁଁ ହୋଇଥିଲା ମହାରାଷ୍ଟ୍ର ବୁଲଢାଣା ବସ୍‌ ଦୁର୍ଘଟଣା । ନିଶାସକ୍ତ ହୋଇ ଗାଡି ଚଳାଇଥିଲେ ଡ୍ରାଇଭର । ଫରେନ୍ସିକ ରିପୋର୍ଟରୁ ଖୁଲାସା ହେଲା ନୂଆ ତଥ୍ୟ ।

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗି ୨୫ ଜଣ ଜୀବନ୍ତ ଜଳିଯାଇଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଏବେ ବସ୍‌ ଡ୍ରାଇଭରକୁ ନେଇ ବଡ ଖୁଲାସା ହୋଇଛି । ଦୁର୍ଘଟଣା ସମୟରେ ଡ୍ରାଇଭର ଜଣକ ମଦ ନିଶାରେ ଗାଡିରେ ଚଲାଉଥିଲେ । ଜୁଲାଇ ୧ ତାରିଖରେ ସମୃଦ୍ଧି ଏକ୍ସପ୍ରେସ ୱେରେ ନାଗପୁରରୁ ପୁନେ ଯାଉଥିବା ବେଳେ ବସ୍‌ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍‌ ଡ୍ରାଇଭରର ରକ୍ତ ନମୁନା ରିପୋର୍ଟରୁ ଖୁଲାସା ହୋଇଛି କି, ଡ୍ରାଇଭର ବସ୍‌ ଚଳାଉଥିବା ବେଳେ ମଦ ପିଇଥିଲେ । ତାଙ୍କ ରକ୍ତରେ ନିଶା ରହିଥିବାର ଫରେନ୍ସିକ ରିପୋର୍ଟରୁ ଜଣାପଡିଛି ।

ଯାଞ୍ଚ ରିପୋର୍ଟରୁ ଜଣାପଡିଛି କି, ଦୁର୍ଘଟଣା ଦିନ ଡ୍ରାଇଭର ଶେଖ ଦାନିଶଙ୍କ ରକ୍ତରେ ଆଲକହଲ ମାତ୍ରା ଅଧିକ ରହିଥିଲା । ଆଉ ବସ୍‌ ଦୁର୍ଘଟଣା ହାଇୱେରେ କୌଣସି ତ୍ରୁଟି ଯୋଗୁଁ ନୁହେଁ ବରଂ ଡ୍ରାଇଭର ନିଶାସକ୍ତ ଥିବା ଯୋଗୁଁ ହୋଇଛି । ଟାୟାର ଫାଟିବା ଯୋଗୁଁ ଦୁର୍ଘଟଣା ହୋଇଥିବା ପୂର୍ବରୁ କୁହାଯାଉଥିବା ବେଳେ ଏହାର ମଧ୍ୟ ଯାଞ୍ଚ କରାଯାଇଥିଲା । ଟାୟାରର ଚିହ୍ନ ଏବଂ ସାମ୍ପଲ ମଧ୍ୟ ଟେଷ୍ଟ କରାଯାଇଥିଲା । କିନ୍ତୁ ଏଭଳି ସମ୍ଭାବନାକୁ ଖାରଜ କରାଯାଇଥିଲା । ଦୁର୍ଘଟଣା ପରେ ଫରେନ୍ସିକ ଟିମ୍‌ ସବୁକିଛି ନମୁନାକୁ ପରୀକ୍ଷା କରିଥିଲେ । ଯାହାର ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ବସଟି ନାଗପୁରରୁ ପୁନେକୁ ଯାଉଥିବା ବେଳେ ବୁଲଢାଣା ପାଖରେ ଜେଓଲଗାଁ ଖାଣ୍ଡେ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସରେ ଥିବା ଯାତ୍ରୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ବର୍ଷା ଯୋଗୁଁ ବସର ଚକା ଖସିବା ଯୋଗୁଁ ବସଟି ଓଲଟି ପଡିଥିଲା । ଆଉ ବସର ଡିଜେଲ ଟାଙ୍କି ଫାଟିଯାଇଥିଲା । ଫଳରେ ବସରେ ନିଆଁ ଲାଗିଥିଲା । ବସରେ ୩୨ ଜଣ ଯାତ୍ରୀ ଥିଲେ । ନିଆଁ ଲାଗିବା ଯୋଗୁଁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଦୁର୍ଘଟଣା ଶନିବାର ରାତି ୨ଟାରେ ଘଟିଥିଲା। ଦୁର୍ଘଟଣା ଘଟିବା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ । ତେଣୁ ନିଆଁ ଲାଗିବା ଯୋଗୁଁ କେହି ବାହାରକୁ ତୁରନ୍ତ ବାହାରିପାରିନଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା ।

ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନକୁ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ୨ ଲକ୍ଷ ଟଙ୍କାର ସହାୟତା ରାଶି ହେବାକୁ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.