ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଲଣ୍ଡନ କୋର୍ଟଙ୍କୁ ଭିଡିଓ ଫୁଟେଜ୍ ଦେଲା ସିବିଆଇ

ନୂଆଦୀଲ୍ଲୀ (କେନ୍ଯୁଜ୍) : ଲିକର୍ ବାରୋନ୍ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଲଣ୍ଡନ କୋର୍ଟଙ୍କୁ ଭିଡିଓ ଫୁଟେଜ୍ ଦେଲା ସିବିଆଇ । ମୁମ୍ବାଇ ଆର୍ଥର ରୋଡ୍ ଜେଲ୍ର ୧୨ ନମ୍ବର ବାରାକ୍ର ୮ ମିନିଟ ଭିଡିଓ ଦେଇଛି ସିବିଆଇ । ଯେଉଁଥିରେ ଦର୍ଶାଯାଇଛି, ୧୨ ନମ୍ବର ବାରାକ୍ରେ ରହିଛି ବ୍ୟାପକ ଆଲୋକିକରଣ ବ୍ୟବସ୍ଥା ।
ସେହିପରି ଟେଲିଭିଜନ, ବ୍ୟକ୍ତିଗତ ଟଏଲଟ୍, ସଫାସୁତୁରା ବେଡ୍, କମ୍ବଳ ଓ ଚଲାବୁଲା କରିବା ପାଇଁ ଖାଲି ସ୍ଥାନ ଭଳି ଅନ୍ୟ ସମସ୍ତ ବ୍ୟବସ୍ଥା ବି ରହିଛି । ମାଲ୍ୟା ଯେଉଁ ବାରାକ୍ରେ ରହିବେ ସେଠାକୁ ପ୍ରାକୃତିକ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା ବି ହୋଇଥିବା ଭିଡିଓରେ ଦର୍ଶାଇଛି ସିବିଆଇ ।
ମାଲ୍ୟାଙ୍କୁ ଲାଇବ୍ରେରୀ ସୁବିଧା ମଧ୍ୟ ମିଳିବ । ଆର୍ଥର ରୋଡ୍ ଜେଲ୍ର ୧୨ ନମ୍ବର ବାରାକ୍ ଅଲଗା ସ୍ଥାନରେ ରହିଛି । ଯେଉଁଠାରେ କେବଳ ୬ ଜଣ କଏଦୀ ରହିପାରିବେ ଓ ଭିଡ଼ର ବିପଦ ନାହିଁ ବୋଲି ସିବିଆଇ ଲଣ୍ଡନ କୋର୍ଟଙ୍କୁ ଅବଗତ କରାଇଛି । ଗତ ଜୁଲାଇ ୩୧ ତାରିଖରେ ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗ ଉପରେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ ଲଣ୍ଡନ କୋର୍ଟ । ମାଲ୍ୟାଙ୍କୁ କେଉଁ ଜେଲ୍ରେ ରଖାଯିବ ତାର ଭିଡିଓ ଫୁଟେଜ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।