ବିଗିଡିଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ସର ଗଙ୍ଗା ରାମ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ନିକଟରେ ତାଙ୍କୁ କରୋନା ହୋଇଥିଲା। ଯାହା ପରେ ସେ ନିଜକୁ ହୋମ ଆଇସୋଲେସନ କରିଥିଲେ। କିନ୍ତୁ ଏବେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୋନିଆ ହସପିଟାଲରେ ଭର୍ତ୍ତି ନେବା ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜଓ୍ଵାଲାଙ୍କ ପକ୍ଷରୁ ଖବର ଦିଆଯାଇଛି। କରୋନା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିଲା। ତେଣୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। କିନ୍ତୁ ହସପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ସୋନିଆଙ୍କ ପାଇଁ ସୁସ୍ଥ କାମନା କରିଥିବା ସମସ୍ତ ପାର୍ଟି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ପ୍ରବକ୍ତା ରଣଦୀପ ସଂହ।

ନ୍ୟାସନାଲ୍‌ ହେରାଲ୍‌ଡ ମାମଲାରେ ତାଙ୍କୁ ସମନ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୮ ତାରିଖରେ ହାଜର ହେବାକୁ କୁହାଯାଇଛି। କୋଭିଡ୍‌ ପଜିଟିଭ୍‌ ହୋଇଥିଲେ ବି ଇଡିରେ ହାଜର ହେବେ ସୋନିଆ। ଏ ନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ସପ୍ତାହରେ କଂଗ୍ରେସ ବହୁ ନେତାଙ୍କୁ ଭେଟିଥିଲେ ସୋନିଆ ଗାନ୍ଧୀ। କିଛି ନେତା କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେସି ବେଣୁଗୋପାଳ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। କୌଣସି ନେତାଙ୍କ ଠାରୁ ସଂକ୍ରମଣ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି।