ପାକ୍ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଯୋଜନା କରୁଛି –ଇମ୍ରାନ
ପାକିସ୍ତାନ ସେନା ମୋତେ ମିଥ୍ୟା ମାମଲାରେ ୧୦ ବର୍ଷ ଜେଲ ପଠାଇବାକୁ ଯୋଜନା କରୁଛି ବୋଲି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରକାଶ କରିଛନ୍ତି । ଇମ୍ରାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଜାମିନ ଦେଇ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ତାଙ୍କ ଉପରେ ଚାପ ବଢ଼ୁଛି ।
ଇସଲାମବାଦ : ପାକିସ୍ତାନ ସେନା ମୋତେ ମିଥ୍ୟା ମାମଲାରେ ୧୦ ବର୍ଷ ଜେଲ ପଠାଇବାକୁ ଯୋଜନା କରୁଛି ବୋଲି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରକାଶ କରିଛନ୍ତି । ଇମ୍ରାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଜାମିନ ଦେଇ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ତାଙ୍କ ଉପରେ ଚାପ ବଢ଼ୁଛି ।
ସେନା କୁଆଡେ ତାଙ୍କୁ ଦେଶ ଛାଡି ଲଣ୍ଡନ ପଳାଇଯିବାକୁ ସୁଯୋଗ ଦିଆଯିବ, ନଚେତ ଫାଶୀ ଦଣ୍ଡ ଦିଆଯିବ ବୋଲି କହୁଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ହେଲେ ଇମ୍ରାନ ଦେଶ ଛାଡି ଲଣ୍ଡନ ଯିବା କଥାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ସେ କୋର୍ଟରେ ଲଢ଼ିବେ ଓ ସେ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି ଇମ୍ରାନ କହିଛନ୍ତି ।
ଲାହୋରର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନକୁ ପୁଲିସ ଘେରାଉ କରି ରଖିଛି । ଘରକୁ ଯିବା ପାଇଁ ସମସ୍ତ ବାଟ ଅବରୋଧ କରିବା ସହ ଏହି ଅଂଚଳରେ ବିଜୁଳି ସଂଯୋଗ ମଧ୍ୟ କାଟି ଦେଇଛି । ଅନ୍ୟ ପକ୍ଷରେ ଇମ୍ରାନଙ୍କ ଘରେ ୩୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ଲୁଚି ରହିଥିବା ଶାହବାଜ ସରକାର ଅଭିଯୋଗ କରିଛନ୍ତି ।
ଇମ୍ରାନ ନିଜ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଭୟ ଓ ଦାସତ୍ୱରେ ରହିବା ଅପେକ୍ଷା ମୃତ୍ୟୁ ଭଲ । ମୋର ଶେଷ ବିନ୍ଦୁ ଥିବା ଯାଏ ଲଢ଼ିବି । ଆଗାମୀ ପିଢ଼ିକୁ ଏହି ବାର୍ତ୍ତା ଦେବି ଯେ ଅପରାଧୀଙ୍କ ନିକଟରେ ଆତ୍ମ ସମର୍ପଣ କରିବା ଅପେକ୍ଷା ଆଲ୍ଳାଙ୍କ ପାଖକୁ ଚାଲିଯିବା ଭଲ । ଏହାହିଁ ହେବ ପ୍ରକୃତ ସ୍ୱାଧୀନତା ବୋଲି ଇମ୍ରାନ କହିଥିଲେ ।