ପାକିସ୍ତାନ ଷଡ଼ଯନ୍ତ୍ରକୁ ଉଚିତ ଜବାବ ଦେଇଛି ଭାରତ, ଜାଣନ୍ତୁ କଣ ରହିଛି ବର୍ତ୍ତମାନ ପର୍ଯ୍ଯନ୍ତର ସଂପୂର୍ଣ୍ଣ ଘଟଣା

ବାଲାକୋଟରେ ସର୍ଜିକାଲ୍ ଷ୍ଟ୍ରାଇକ୍ର ଜବାବ ଦେବା ପାଇଁ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରକୁ ଉଚିତ ଜବାବ ଦେଇଛି ଭାରତ। ବାୟୁସୀମା ଉଲ୍ଲଂଘନ କରିଥିବା ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଖସାଇଲା ଭାରତୀୟ ସେନା। ଏକଥା ସ୍ପଷ୍ଟ କରିଛି ବୈଦଶିକ ମନ୍ତ୍ରାଳୟ।
ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ପାକିସ୍ତାନ ଭାରତର ସାମରିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ଉଦ୍ୟମ କରିଥିଲା। ତେବେ ଭାରତୀୟ ବାୟୁସେନା ସତର୍କ ଥିବାରୁ ଫେଲ୍ ମାରିଥିଲା ପାକିସ୍ତାନର ଉଦ୍ୟମ। ପ୍ରତି ଆକ୍ରମଣରେ ପାକିସ୍ତାନର F-16 ବିମାନକୁ ମାରି ଖସାଇ ଦିଆଯାଇଥିଲା। ବିମାନଟି ନିୟନ୍ତ୍ରଣ ରେଖା ସେପାଖରେ ପାକିସ୍ତାନ ସୀମାର ୩କିଲୋମିଟର ଭିତରେ ଖସି ପଡ଼ିଥିଲା। ତେବେ ପ୍ରତି ଆକ୍ରମଣ ବେଳେ ଭାରତର ଗୋଟିଏ ମିଗ୍-୨୧ ବିମାନ ଧ୍ୱଂସ ହୋଇଛି। ଏଥିରେ ଥିବା ପାଇଲଟ୍ ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି।
ଏବେ ଆସନ୍ତୁ ନଜର ପକାଇବା ଆଜି ସୀମାରେ କଣ କଣ ଘଟିଥିଲା। ପ୍ରଥମେ ପାକିସ୍ତାନ ପଟରୁ ରାଜୋରୀ ଓ ପୁଞ୍ଚ ସେକ୍ଟର ଉପରକୁ ପ୍ରବଳ ଗୁଳି ଓ ମୋର୍ଟାର ମାଡ଼ ହୋଇଥିଲା। ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଯାହାର କଡ଼ା ମୁକାବିଲା କରିଥିଲା ଭାରତୀୟ ସେନା। ଏହାପରେ ଆଜି ଭାରତର ଦୁଇଟି ସ୍ଥାନରେ ବାୟୁ ସୀମା ଉଲ୍ଲଂଘନ କରିଥିଲା ପାକିସ୍ତାନ ଲଢୁଆ ବିମାନ F-16। ଜମ୍ମୁ କାଶ୍ମୀର ରାଜୌରୀର ନୌସେରା ଓ ପୁଞ୍ଚ ସେକ୍ଟରରେ ଭାରତ ବାୟୁସୀମା ଭିତରକୁ ପଶି ଆସିଥିଲା ପାକ୍ ବିମାନ। ପ୍ରତି ଆକ୍ରମଣରେ F-16କୁ ମାରି ଖସାଇ ଦେଇଥିଲା ଭାରତୀୟ ସେନା। ପାକିସ୍ତାନର ତିନି କିଲୋମିଟର ସୀମା ମଧ୍ୟରେ ଲାମ ଘାଟିରେ ଏହା ଖସିପଡ଼ିଥିଲା।
ନିଖୋଜ ଭାରତୀୟ ପାଇଲଟ
ଭାରତର ବାଲାକୋଟ ଅପରେସନ ପରେ ବିଚଳିତ ହୋଇ ପଡିଛି ପାକିସ୍ତାନ। ଆଜି ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିବା ବେଳେ F-16 ବିମାନକୁ ଖସାଇ ଦେଇଛି ଭାରତୀୟ ବାୟୁସେନା। ସେପଟେ ପାକିସ୍ତାନ ଦାବି କରୁଛି, ଭାରତର ଦୁଇଟି ବିମାନକୁ ଖସାଇ ଦେଇଛି। ଦୁଇ ଜଣ ପାଇଲଟକୁ ଧରିଥିବା ଦାବି କରିଛି ପାକିସ୍ତାନ। ଆହତ ପାଇଲଟ୍ଙ୍କ ଚିିକିତ୍ସା କରାଯାଉଛି। F-16 ବିମାନକୁ ଖସାଇବା କଥା ମିଛ ବୋଲି କହିଛନ୍ତି ପାକ୍ ସେନା ମୁଖପାତ୍ର।
ଭାରତର ପାଲଟା କାର୍ଯ୍ୟାନୁଷ୍ଠାନରେ ଖସିଛି ପାକିସ୍ତାନ ବାୟୁସେନା ବିମାନ। ନୌସେରା ଓ ପୁଞ୍ଚର ଅଧିବାସୀମାନେ ଆକାଶରୁ ପ୍ରଚଣ୍ଡ ଶବ୍ଦ କରି ବୋମା ପଡ଼ିଥିବା ସେଠାକାର ଲୋକ କହିଛନ୍ତି।