କଲିକତା ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ ମୃତ, ଗତକାଲି କଟକରୁ ଗିରଫ ହୋଇଥିଲେ

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କଲିକତା ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବାଣ କାରଖାନା ମାଲିକ ଭାନୁ ବାଗ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। କଟକ ଭାଣପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବା ରୁ ଅବସ୍ଥା ଗୁରୁତର ରହିଥିଲା। ଗତ ମଙ୍ଗଳବାର ଦିନ ରାତିରେ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। କାଲି ସକାଳେ କଲିକତା କ୍ରାଇମବ୍ରାଞ୍ଚ୍ ର ଏକ ଟିମ୍ ମେଡିକାଲ ଆସି ତାକୁ ଗିରଫ କରିଥିଲା। ତାର ଘର ପୂର୍ବ ମେଦିନୀପୁର ଏଗ୍ରା ଥାନା ଅନ୍ତର୍ଗତ ଖାଦିପୁଲ ବୋଲି କଲିକତା କ୍ରାଇମବ୍ରାଞ୍ଚ୍ କହିଛି।

ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଓ ତାଙ୍କ ଶରୀରର ୮୦% ପୋଡ଼ି ଯାଇଥିଲା। ପଶ୍ଚିମବଙ୍ଗରେ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋଲିସ ହାତରେ ଧରାପଡ଼ିଯିବା ଭୟରେ ସେ ତାଙ୍କ ପୁଅ ଓ ଅନ୍ୟ ଜଣେ ସଂପର୍କୀୟଙ୍କ ସହିତ କଟକ ପଳାଇ ଆସିଥିଲେ।

ଭାନୁ ବାଗ ଓଡ଼ିଶା ପଳାଇ ଆସିଥିବା ନେଇ ପଶ୍ଚିମବଙ୍ଗ ପୋଲିସ ସନ୍ଦେହ କରିଥିଲା ଓ ଏନେଇ କଟକ କମିଶନରେଟ ପୋଲିସକୁ ଜଣାଇଥିଲା। କଟକ ପୋଲିସ ପକ୍ଷରୁ ଏନେଇ ଖୋଳତାଡ଼ କରାଯାଇଥିଲା। କଟକ ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଗତକାଲି ଭାନୁ ବାଗଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଥିଲା। ତେବେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ସାଙ୍ଗରେ ନେଇ ଯାଇପାରି ନଥିଲା। କାରଣ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଉ ଆଜି ତାଙ୍କର ମୃତ୍ୟୁ ଘଟିଛି। ଭାନୁ ବାଗଙ୍କ ମୃତ୍ୟୁ ସହିତ ଏହି ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।