ସୁପର ମାର୍କେଟରେ ମିଳୁଛି ମୟୂରଭଞ୍ଜ ଆମ୍ବ, ଦେଶ ବିଦେଶରେ ରହିଛି ଚାହିଦା

ଦିଲ୍ଲୀ ଯାଉଛି ମୟୁରଭଞ୍ଜ ଆମ୍ବ । ରିଲାଏନ୍ସ ଷ୍ଟୋରରେ ଆପଣ ଏହି ଆମ୍ବକୁ ପାଇପାରିବେ । ଓରମାସ ଓ ପ୍ରଶାସନର ସହାୟତା ଯୋଗୁଁ ଆମ୍ବ ଚାଷୀଙ୍କ ଭାଗ୍ୟ ମଧ୍ୟ ବଦଳୁଛି । ଆମ୍ରପାଲି, ଲେଙ୍ଗେଡା, ଦଶେରୀ, ସୁନ୍ଦରୀ, ବାଇଗଣ ପଲେଇ, ମଲ୍ଲିକା ଭଳି ପ୍ରଜାତିର ଆମ୍ବ ରହିଛି ।

ମୟୂରଭଞ୍ଜ(କେନ୍ୟୁଜ୍‌): ଦିଲ୍ଲୀ ଯାଉଛି ମୟୁରଭଞ୍ଜ ଆମ୍ବ । କେବଳ ଦିଲ୍ଲୀ ନୁହେଁ ଝାରଖଣ୍ଡଠୁ ଆରମ୍ଭ କରି ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ପହଁଚି ପାରୁଛି ଏହି ଆମ୍ବ । ଏହାସହ ରିଲାଏନ୍ସ ଭଳି କମ୍ପାନୀର ଷ୍ଟୋରରେ ଆପଣ ଏହି ଆମ୍ବକୁ ପାଇପାରିବେ । ସେହିପରି ଓଡ଼ିଶାର ବିଭିନ୍ନ ସହରର ବଡ଼ ବଡ଼ ବଜାରରେ ଏହି ଆମ୍ବ ମିଳୁଛି । ରାଜ୍ୟ ବାହାରେ ମୟୁରଭଞ୍ଜର ଆମ୍ବର ଚାହିଦା ବଢିବାରେ ଲାଗିଛି । ଚାହିଦା ବଢିବା ସହ ଜିଲ୍ଲାର ଆମ୍ବ ଚାଷୀଙ୍କ ଭାଗ୍ୟ ମଧ୍ୟ ବଦଳୁଛି । ଏହାସହ ବେଶ ଦୁଇ ପଇସା ରୋଜଗାର କରିପାରୁଛି ଚାଷୀ । ଏହା ସମ୍ଭବ ହୋଇ ପାରିଛି ଓରମାସ ଓ ପ୍ରଶାସନର ସହାୟତା ଯୋଗୁଁ । ଚଳିତ ବର୍ଷ ୫୦ଲକ୍ଷ ଟଙ୍କାର ଆମ୍ବ ବ୍ୟବସାୟର ଲକ୍ଷ୍ୟ ରଖିଛନ୍ତି ଚାଷୀ ।

ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବାସ୍କିତଳା ଗାଁରେ ୧୯୯୩ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କ ଜମିରେ ଆମ୍ବ ଗଛ ଲଗାଯାଇଥିଲା । ୧୧ ହେକ୍ଟର ଜମିରେ ୨୦୦ଟି ଆମ୍ବଗଛ ଲଗାଯାଇଥିଲା । ପରବର୍ତ୍ତୀ ସମୟରେ ଗଛ ସଂଖ୍ୟାରେ ବୃଦ୍ଧି ଘଟି ୧୦୦୦ରେ ପହଁଚିଥିଲା । ହେଲେ ଆମ୍ବ ବିକ୍ରିର ସେପରି କିଛି ସୁବିଧା ନଥିଲା । ଅଧିକାଂଶ ଆମ୍ବ ନଷ୍ଟ ହେଉଥିଲା । ଗୋଟିଏ ଆମ୍ବ ଗଛକୁ ପାଉଥିଲେ ମାତ୍ର ୨୦୦ ଟଙ୍କା । ୨୦୧୩ରେ ପ୍ରଶାସନ ପକ୍ଷରୁ ଏହି ଚାଷୀ ମାନଙ୍କୁ ନେଇ ଗ୍ରୁପ ଗଠନ କରାଯାଇଛି । ଏହାସହ ଓରମାସ ସହାୟତାରେ ଏହି ଆମ୍ବକୁ ବାହାର ରାଜ୍ୟକୁ ରପ୍ତାନୀର ବ୍ୟବସ୍ଥା କରାଯାଉଛି । ସେହିପରି ବିଭିନ୍ନ ବଡ଼ ବଡ଼ କମ୍ପାନୀ ସହ ଆମ୍ବର ବିକ୍ରିବଟା ନେଇ ଚୁକ୍ତି କରିଛି ପ୍ରଶାସନ । ଫଳରେ ଚାଷୀର ରୋଜଗାର ବଢିଛି ।

ବଗିଚାରେ ଲାଗିଛି ଭଳିକି ଭଳି ବିଭିନ୍ନ ପ୍ରଜାତିର ଆମ୍ବ । ଏହି ବଗିଚାରେ ଆମ୍ରପାଲି, ଲେଙ୍ଗେଡା, ଦଶେରୀ, ସୁନ୍ଦରୀ, ବାଇଗଣ ପଲେଇ, ମଲ୍ଲିକା ଭଳି ପ୍ରଜାତିର ଆମ୍ବ ଗଛ ଲାଗିଛି । ଜାତୀୟ ବଜାରରେ ଯାହାର ଚାହିଦା ବେଶ ଅଧିକ ରହିଛି । ଦିଲ୍ଲୀ ସ୍ଥିତ ମଦରଡାଏରୀକୁ ଯାଉଛି ଏହି ଆମ୍ବ । ଚାଷୀଙ୍କ ଉଦ୍ୟମ ଓ ପ୍ରଶାସନର ସହାୟତା ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । ଏହାସହ ଏହି ବକ୍ସିତଳା ଚାଷୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.