Below header

ଥଣ୍ଡା ପିଜାକୁ ନେଇ ତୁମୁଳ କାଣ୍ଡ, ଗୁଳି ଚଳାଇଲେ ଗ୍ରାହକ

ଚଣ୍ଡିଗଡ଼ : ଆପଣ ଅନ୍ତତଃ ରାଜଧାନୀ ଭୁବନେଶ୍ୱରରେ ଦେଖିଥିବେ ଯେ ପିଜା ଡେଲିଭରୀ ବଏ’ମାନେ କିଭଳି ସ୍ପିଡ୍‌ରେ ଗାଡ଼ି ଚଲାଇ ଯାଆନ୍ତି । କାରଣ ବି ଆପଣମାନଙ୍କୁ ଅଳ୍ପ ବହୁତେ ମାଲୁମ ଥିବ । କାରଣ ହେଉଛି ଗ୍ରାହକ ପାଖରେ ଗରମ ଗରମ ପିଜା ପହଞ୍ଚାଇବା । ଏମିତି ବି ଶୁଣାଯାଏ ଯେ ଯଦି ପିଜା ଥଣ୍ଡା ନପହଞ୍ଚିଲା ତେବେ ଡେଲିଭରୀ ବଏ’ର ଦରମା କଟାଯାଏ । ହେଲେ ଚଣ୍ଡିଗଡ଼ରେ ଏମିତି ଘଟଣା ଘଟିଛି ଯାହା ଆପଣଙ୍କୁ ଚମକାଇ ଦେବ । ଡେଲିଭରୀ ବଏ ଥଣ୍ଡା ପିଜା ନେଇ ପହଞ୍ଚିବାରୁ ଗ୍ରାହକ ଜଣକ ଏତେ ଜୋରରେ ରାଗିଗଲେ ଯେ ଶେଷରେ ବନ୍ଧୁକ ବାହାର କରି ଗୁଳି ଚଳାଇ ଦେଲେ ।
ଘଟଣା ଘଟିଛି ଚଣ୍ଡିଗଡ଼ର ଫଜିଲକାର ଖରଡ଼ ଅଞ୍ଚଳରେ । ସନମ ସୋତିଆ ନାମକ ଗ୍ରାହକ ଜଣକ ଆଇନ୍‌ ପାଠ ପଢ଼ୁଥିବା ଜଣେ ଛାତ୍ର । ସେ ଡୋମିନଜ୍‌ରୁ ପିଜା ଖାଇବାକୁ ମଗାଇଥିଲେ । ଅର୍ଡର ଦେବାର ୨୦ ମିନିଟ୍‌ ପରେ ଡେଲିଭରୀ ବଏ ପହଞ୍ଚି ପିଜା ଦେଇଥିଲା । ହେଲେ ଛାତ୍ର ଜଣକ ପିଜା ଥଣ୍ଡା ହୋଇଯାଇଛି ବୋଲି ଅଭିଯୋଗ କରି ପଇସା ଦେବାକୁ ମନା କରିଦେଲେ । ଏହାକୁ ନେଇ ଦୁଇଜଣଙ୍କ ଭିତରେ ଯୁକ୍ତିତର୍କ ଚାଲିଲା । ଝଗଡ଼ା ବଢ଼ିବାରୁ ଡେଲିଭରୀ ବଏ ନିଜ ମ୍ୟାନେଜରଙ୍କୁ ଫୋନ୍‌ କଲା । ମ୍ୟାନେଜର ଯଶବୀର ସିଂହ ଗରମ ପିଜା ନେଇ ପହଞ୍ଚାଇ ଦେବେ ବୋଲି କହିଲେ । ହେଲେ ଛାତ୍ର ଜଣକ ଧମକ ଦେଇ କହିଲେ ଯେ ଯେପର୍ଯ୍ୟନ୍ତ ଗରମ ପିଜା ନଆସିବ ସେ ପର୍ଯ୍ୟନ୍ତ ଏ ପିଲାକୁ ଛାଡ଼ିବି ନାହିଁ । ତେଣୁ ବାଧ୍ୟ ହୋଇ ମ୍ୟାନେଜର ତାଙ୍କର ଦୁଇଜଣ ସାଥୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଲେ । ଏହାପରେ ବିବାଦ ତୀବ୍ର ରୂପ ନେଇଥିଲା ଓ ଛାତ୍ର ଜଣକ ତାଙ୍କ ବନ୍ଧୁକ ବାହାର କରି ମ୍ୟାନେଜର ଯଶବୀର ସିଂହ ଏବଂ ତାଙ୍କ ସାଥୀଙ୍କ ଉପରେ ଦୁଇ ରାଉଣ୍ଡ ଫାୟାରିଂ କରିଦେଲେ । ତେବେ ଭାଗ୍ୟକୁ ଗୁଳି କାହା ଦେହରେ ବାଜିଲା ନାହିଁ କି କେହି ଆହତ ହୋଇ ନଥିଲେ । ପରେ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ସଂପୃକ୍ତ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାର ଲାଇସେନ୍ସ ଥିବା ବନ୍ଧୁକକୁ ଜବତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.