Below header

୨୦୬ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ, ଜାଣନ୍ତୁ କେବେ କଣ ହୋଇଥିଲା

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି । ଆଜି ସକାଳେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧକ୍ଷତରେ ଅନୁଷ୍ଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥିବେ ଏହି ରାମ ମନ୍ଦିର ମାମଲା ଆଜକୁ ପ୍ରାୟ ୨୦୬ ବର୍ଷ ତଳେ ବ୍ରିଟିଶ ଶାସନ କାଳରେ ହିଁ ଆରମ୍ଭ ହୋଇଯାଇଥିଲା । ୧୮୧୩ ମସିହାରେ ପ୍ରଥମେ ହିନ୍ଦୁ ସଂଗଠନ ତରଫରୁ ଦାବି କରାଯାଇଥିଲାକି ୧୫୨୬ ମସିହାରେ ମୋଗଲ ଶାସକ ବାବର ପୂର୍ବ ରାମ ମନ୍ଦିରକୁ ଭାଙ୍ଗି ସେହି ସ୍ଥାନରେ ଏହି ବିବାଦୀୟ କୋଠାର ନିର୍ମାଣ କରିଥିଲେ । ଯାହାକୁକି ବାବ୍ରି ମସଜିଦ ଭାବେ ନାମିତ କରାଯାଇଥିଲା । ସେହି ସମୟରେ ବି ଦୁଇ ପକ୍ଷଙ୍କ ଭିତରେ ବହୁ ହିଂସାତ୍ମକ ଘଟଣା ମାନ ଘଟିଥିଲା ।

ଏହାର ୩୩ ବର୍ଷ ପରେ ଅର୍ଥାତ ୧୮୫୯ ମସିହାରେ ବ୍ରିଟିଶ ସରକାର ବିବାଦୀୟ ସ୍ଥାନ ଚାରିପାଖରେ ଏକ ତାର ବାଡ ବସାଇ ଦେଇଥିଲେ । ପରେ ୧୮୮୫ ମସିହାରେ ମହନ୍ତ ରଘୁବର ଦାସ ଅଦାଲତ ଠାରୁ ସେଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୧୯୩୪ ମସିହାରେ ଏହି ଘଟଣାକୁ ନେଇ ହିଂସା ତୀବ୍ର ରୂପ ଧାରଣ କରିଥିଲା । ଏହି ସମୟରେ ପ୍ରଥମ ଥର ପାଇଁ ବିବାଦୀୟ ଭାଗକୁ ଭଙ୍ଗା ଯାଇଥିଲା । କିନ୍ତୁ ତତ୍କାଳ ବ୍ରିଟିଶ ସରକାର ଏହାର ମରାମତି କରାଇଥିଲେ । ୧୯୪୯ ମସିହାରେ ହିନ୍ଦୁ ମାନେ କେନ୍ଦ୍ର ସ୍ଥଳରେ ରାମଙ୍କ ପ୍ରତିମୂତ୍ତି ରଖି ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ | ଏହା ପରେ ମୁସଲମାନ ମାନଙ୍କ ତରଫରୁ ଏଠାରେ ନମାଜ ପଢ଼ାଯିବା ବନ୍ଦ କରାଯାଇଥିଲା ଓ ଏହି ମାମଲାକୁ କୋର୍ଟକୁ ନିଆଯାଇଥିଲା । କିନ୍ତୁ ୧୯୫୦ ମସିହାରେ ଫୈଜାବାଦର ଏକ ଅଦାଲତ ଠାରୁ ଗୋପାଳ ସିଂ ବିଶାରଦ ସେଠାରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ ।

ayodhya

ପରେ ନିର୍ମହି ଆଖଡ଼ା ଓ ସୁନି ବାକିଫ ବୋର୍ଡ ତରଫରୁ ବିବାଦୀୟ ସ୍ଥାନରେ ମାଲିକାନା ନେଇ ଦାବି କରାଯାଇଥିଲା । ୧୯୮୪ ମସିହାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବିବାଦୀୟ ଜମିର ମାଲିକାନା ନେଇ ଦାବି ହେବା ସହ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରାଯାଇଥିଲା । ଏହାର ଠିକ ଦୁଇ ବର୍ଷ ପରେ ୧୯୮୬ ମସିହାରେ ଫୈଜାବାଦ କୋର୍ଟ ଏଠାରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହାର ବିରୋଧ କରି ମୁସଲମାନ ସମ୍ପ୍ରଦାୟ ତରଫରୁ ବାବ୍ରି ମସଜିଦ ଆକ୍ସନ କମିଟି ଗଠନ କରିଥିଲେ । ୧୯୯୨ ମସିହାରେ ପୁନଶ୍ଚ ବିବାଦ ତୀବ୍ର ରୂପ ନେବା ସହ ଏକ ବଡ ଧରଣର ହିଂସାକାଣ୍ଡ ମଧ୍ୟ ଘଟିଥିଲା । ଏହି ହିଂସା କେବଲ ଅଯୋଧ୍ୟାରେ ନୁହେଁ ବରଂ ସାରା ଦେଶରେ ତୀବ୍ର ରୂପ ନେଇଥିଲା । ପରେ ଏହା ଏକ ସାମ୍ପ୍ରଦାୟିକ ଦଙ୍ଗାର ରୂପ ମଧ୍ୟ ନେଇଥିଲା । ଏହି ସମୟରେ ହିଁ ସେଠାରେ ଏକ ଅସ୍ଥାୟୀ ରାମ ମନ୍ଦିର ନିର୍ମାଣ କରାଯାଇଥିଲା ।

ଏହା ସହ ପଢନ୍ତୁ: ଆଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଟ୍ଵିଟ୍ କଲେ ପ୍ରଧାନମନ୍ତ୍ରୀ

ପରେ ୨୦୦୨ ମସିହାରେ ଏହି ବିବାଦୀୟ ଜମିର ମାଲିକାନା ନେଇ ଆଲ୍ହାବାଦ ହାଇକୋର୍ଟର ତିନିଜଣିଆ ଏକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ୨୦୦୩ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ସ୍ଥାନର ଖନନ ଆରମ୍ଭ କରିଥିଲେ । ସେହି ସମୟରେ ହିଁ ସେଠାରେ ମନ୍ଦିରର ଅବଶେଷ ମିଳିଥିବା ଏଏସଆଇ ତରଫରୁ ଦାବି କରାଯାଇଥିଲା । ୨୦୧୧ ମସିହାରେ ଆଲ୍ହାବାଦ ହାଇକୋର୍ଟ ଏହି ବିବାଦୀୟ ଜମିକୁ ହିନ୍ଦୁ ପକ୍ଷ, ନିର୍ମହି ଆଖଡ଼ା ଓ ସୁନି ବାକିଫ ବୋର୍ଡ ଭିତରେ ସମାନ ଭାବେ ବଣ୍ଟାଯିବକୁ ରାୟ ଦିଆଯାଇଥିଲା । କିନ୍ତୁ ପରେ ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଅପିଲ କରାଯାଇଥିଲା । ସୁପ୍ରିମ କୋର୍ଟ ସେହି ସମୟରେ ଏହି ମାମଲାରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା ।

ପରେ ଚଳିତ ବର୍ଷ ଅର୍ଥାତ ୨୦୧୯ ମସିହା ଅଗଷ୍ଟ ମାସ ୬ ତାରିଖରୁ ସୁପ୍ରିମ କୋର୍ଟ ନିୟମିତ ଶୁଣାଣି କରି ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ନିର୍ଣ୍ଣୟ ନେଇଥିଲେ । ଅକ୍ଟୋବର ୧୬ ତାରିଖରେ ନିୟମିତ ଶୁଣାଣି ସରିଯାଇଥିଲା । ୧୫୦୦ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ବିବାଦ ସମାଧାନ ଶୀଘ୍ର ହୋଇଯିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.