ଆଜିଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା ।

ପୁରୀ : ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନିଜଣ ପୂଜାପଣ୍ଡା ସେବାୟତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ କାର୍ଯ୍ୟ ଅନୁକୂଳ କରିଥିଲେ । ଚଳିତବର୍ଷ ହଜାର ହଜାର ଭକ୍ତଙ୍କ ଗ୍ରହଣରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇଥିବାରୁ ସେମାନେ ନିଜକୁ ଧନ୍ୟ ମନେ କରିଛନ୍ତି |

ଚନ୍ଦନ ଯାତ୍ରା ପାଇଁ ଭକ୍ତଙ୍କ ଗହଳି ଚହଳି ଓ ହରିବୋଲ ହୁଳହୁଳି ଧ୍ୱନିରେ ଆଜି ଫାଟି ପଡିଥିଲା ବଡ଼ଦାଣ୍ଡ । ସେଥିପାଇଁ ଚଳିତବର୍ଷ  ବଡଦାଣ୍ଡର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଆଜ୍ଞାମାଳ ପାଇବା ପରେ ଭକ୍ତଙ୍କ ଗ୍ରହଣରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ । ଏହା ପୂର୍ବରୁ ରଥନିର୍ମାଣ ପାଇଁ  ଦେଉଳ ପୁରୋହିତ ଓ  ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା । ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା । ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ବିଶ୍ୱକର୍ମା ମହାରଣାଙ୍କୁ ପ୍ରଦାନ  କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ୱାରା ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତିରେ ରଥନିର୍ମାଣରେ ସଂପୃକ୍ତ ସେବାୟତଙ୍କ ଶାଢ଼ୀ ବନ୍ଧା ଯାଇଥିଲା । ଭୋଇ ସେବକମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ । ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ପ୍ରସ୍ତୁତ ହୋଇଥିବା ନନ୍ଦା ଓ ଭଦ୍ରା ଚାପରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଜଳକ୍ରୀଡ଼ା କରିଥିଲେ । ଏହି ଦୃଶ୍ୟ ଥିଲା ଅପୂର୍ବ ଓ ମନୋରମ । ଭକ୍ତଙ୍କ ହୁଳହୁଳି ଓ ଜୟ ଜଗନ୍ନାଥ ଧୋନିରେ ନରେନ୍ଦ୍ର ପୁଷ୍କରିଣୀ ଅଂଚଳ ପ୍ରକମ୍ପିତ ହୋଇପଡିଥିଲା |

ଚଳିତବର୍ଷ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ଚନ୍ଦନ ପୁଷ୍କରିଣୀ ପର୍ଯ୍ୟନ୍ତ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲା | ଆସନ୍ତା 21 ଦିନ ଧରି ଠାକୁର ମାନେ ଶ୍ରୀମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଆସି ଦିନ ଓ ରାତି ଚାପ ଖେଳି ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବାର ପରମ୍ପରା ରହିଛି |

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.