Below header

ତାଲିବାନର ଚେତାବନୀ! ‘ଏବେ କୌଣସି ବି ଆଫଗାନୀଙ୍କୁ ଦେଶ ଛାଡ଼ିବାକୁ ଦେବୁ ନାହିଁ, ଆମେ ଏଥିରେ ଖୁସି ନାହୁଁ’…

ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣିଥରେ ତାଲିବାନର କବ୍‌ଜା ହୋଇଛି। ୧୫ ଅଗଷ୍ଟରେ ତାଲିବାନ କାବୁଲ ଅକ୍ତିଆର କରି ନେଇଥିଲା, ଯାହା ପରେ ରାଷ୍ଟ୍ରପତି ଅଶରଫ୍‌ ଗନି ଦେଶ ଛାଡ଼ି ପଳାଇଥିଲେ। ସାଧାରଣ ଲୋକେ ମଧ୍ୟ କୌଣସି ବି ପରିସ୍ଥିତିରେ ଆଫଗାନିସ୍ତାନ ଛାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି। ଏବେ ସୁଦ୍ଧା ହଜାର ହଜାର ଲୋକ ଦେଶ ଛାଡ଼ି ସାରିଲେଣି। ତେବେ ଏହାରି ଭିତରେ ତାଲିବାନ ପକ୍ଷରୁ ଚେତାବନୀ ଦିଆଯାଇଛି କି, ଏବେ ସେମାନେ କୌଣସି ବି ଆଫଗାନୀଙ୍କୁ ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେବେ ନାହିଁ।

ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ ମଙ୍ଗଳବାର ମିଡିଆକୁ କହିଛନ୍ତି, କେହି ବି ଆଫଗାନୀ ଦେଶ ଛାଡ଼ି ଯିବେ ନାହିଁ। କିନ୍ତୁ ବିଦେଶୀ ନାଗରିକ ନିଜ ଦେଶକୁ ଫେରି ପାରନ୍ତି। ଏୟାରପୋର୍ଟ ଯିବାକୁ ଥିବା ରାସ୍ତାକୁ ବ୍ଲକ କରି ଦିଆଯାଇଛି। ଆଫଗାନୀ ସେହି ରାସ୍ତାରେ ଏୟାରପୋର୍ଟ ଯାଇ ପାରିବେ ନାହିଁ। କିନ୍ତୁ ବିଦେଶୀ ନାଗରିକଙ୍କୁ ଅନୁମତି ଅଛି।

ଜବୀଉଲ୍ଲାହ କହିଥିଲେ ଯେ ପୂର୍ବରୁ ଯେତେ ବି ଆଫଗାନୀ ନାଗରିକ ଦେଶ ଛାଡ଼ିଛନ୍ତି, ସେମାନେ ନିଜ ଦେଶକୁ ଫେରି ଆସିବା ଉଚିତ। ଏବେ ଆମେ ଆଫଗାନୀଙ୍କୁ ଦେଶ ଛାଡ଼ିବାକୁ ଦେବୁ ନାହିଁ ଏବଂ ଆମେ ଏଥିରେ ଖୁସି ବି ନାହୁଁ। ଆଫଗାନିସ୍ତାନର ଡାକ୍ତର ଏବଂ ଶିକ୍ଷାବିଦ୍‌ମାନେ ଦେଶ ଛାଡ଼ି ଯିବା ଉଚିତ ନୁହେଁ। ସେମାନେ ନିଜ ଦେଶରେ ହିଁ କାମ କରିବା ଉଚିତ। କହି ରଖୁଛୁ, ତାଲିବାନ ଶାସନ ଭାର ସମ୍ଭାଳିବା ପରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡ଼ି ସାରିଛନ୍ତି, ଯେଉଁଥିରେ ଅଧିକାଂଶ ମହିଳା ସାମିଲ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି, ୧୪ ଅଗଷ୍ଟରୁ ଏ ପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଲୋକଙ୍କୁ କାବୁଲରୁ ବାହାର କରାଯାଇ ସାରିଲାଣି।

ତାଲିବାନର ଏହି ବୟାନ ଉପରେ ହ୍ଵାଇଟ ହାଉସ୍‌ର ପ୍ରେସ୍‌ ସେକ୍ରେଟାରୀ ଜେନ ସାକୀ ଗଣମାଧ୍ୟମକୁ କହିଛନ୍ତି, ଏଥିରେ ସେହି ଆଫଗାନୀମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, ଯେଉଁମାନଙ୍କୁ ଆମେରିକା ପ୍ରାଥମିକତା ଦେଇଛି। ଏ ବିଷୟରେ ତାଲିବାନକୁ ବି କହି ଦିଆଯାଇଛି ଏବଂ କୁହାଯାଇଛି କି, ଏମିତି ଲୋକଙ୍କୁ ଏୟାରପୋର୍ଟ ପହଞ୍ଚିବାକୁ ଦିଆଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.