Below header

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ତୁମୂଳକାଣ୍ଡ: ଜଣେ ମୃତ, ୮ ଆହତ

ମହାରାଷ୍ଟ୍ର ଅକୋଲାରେ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ହିଂସା ଏବଂ ପୋଡାଜଳା । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ପୋଲିସ ୧୪୪ ଧାରା ଲାଗୁ କରିଛି ।

ମହାରାଷ୍ଟ୍ରର ଅକୋଲାରେ ବିବାଦୀୟ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାର କିଛି ଗାଡି ମଧ୍ୟଭାଙ୍ଗିଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ବାଧ୍ୟ ହୋଇ ଅକୋଲାରେ ୧୪୪ ଧାରା ଲାଗୁ କରିଛି। ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଅକୋଲାର ପୁରୁଣା ସିଟି ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ପୋଲିସ ଅଟକ ରଖିଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅଧିକ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।
ଅକୋଲାର ଜିଲ୍ଲାପାଳ ନୀମା ଅରୋଡା କହିଛନ୍ତି, ହିଂସା ପରେ ସହରରେ ୧୪୪ ଧାରା ଲାଗୁକରାଯାଇଛି । ହିଂସାରେ ଅନେକ ଗାଡି ଭାଙ୍ଗିରୁଜି ଯାଇଛି । ତେବେ ଘଟଣା ପରେ ପୋଲିସ ଷ୍ଟେସନରେ ଭିଡ ଜମୁଛି ।

ସୂଚନାଯୋଗ୍ୟ, ଜଣେ ଧାର୍ମିକ ନେତାଙ୍କ ବିରୋଧରେ ବିବାଦୀୟ କଥା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ଏହା ବିରୋଧରେ ପ୍ରଥମେ ଗୋଟିଏ ଗୋଷ୍ଠୀର ଲୋକ ଶନିବାର ବିଳମ୍ବିତ ରାତିରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସ ନିକଟରେ ମାମଲା ରୁଜୁ କରୁଥିବା ବେଳେ ପୋଲିସ ଷ୍ଟେସନରେ ରଖାଯାଇଥିବା ରଖାଯାଇଥିବା ଗାଡ଼ିଗୁଡ଼ିକୁ ଭାଙ୍ଗିବା ସହ ପଥର ମାଡ଼ କରିଥିଲେ ସେମାନେ। ଏଥିସହ କିଛି କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ପ୍ରତିହତ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା।

ତେବେ ହଠାତ୍ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିବାକୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା। ତେବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ତେବେ ଅକୋଲାରେ ଏହା ଦ୍ୱିତୀୟ ଘଟଣା । କିଛିଦିନ ପୂର୍ବରୁ ଅକୋଟ ଫାଇଲ ଅଞ୍‌ଚଳରେ ଶଙ୍କର ନଗର ମୋହଲ୍ଲେ ଦୁଇଗୋଷ୍ଠୀ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.