ରୁଷ୍‌ ଓ ୟୁକ୍ରେନ ତିକ୍ତତା ଭିତରେ ଯୁଦ୍ଧ ଆଶଙ୍କାକୁ ନେଇ ଡରିଲା ପାକିସ୍ତାନ! ଜାଣନ୍ତୁ କାହିଁକି ଟେନସନରେ ଅଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଦୁଇ ପୁରୁଣା ଶତ୍ରୁ ଆମେରିକା ଓ ରୁଷକୁ ସାମ୍ନାସାମ୍ନି ଆଣି ଛିଡ଼ା କରେଇ ଦେଇଛି। ଶାନ୍ତି ଏବଂ ସମାଧାନର ପ୍ରୟାସ ଭଳି ଔପଚାରିକତା ଏବେ ଶେଷ ହୋଇଛି ଏବଂ ଉଭୟ ଶିବିର ଖୋଲାଖୋଲି ଭାବରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ତିକ୍ତତାରୁ ପାକିସ୍ତାନ ଭଳି ଦ୍ୱିତୀୟ ଦେଶ ପ୍ରଭାବିତ ହୋଇପାରେ। କାହିଁକି ନା, ଏହାର ଅର୍ଥବ୍ୟବସ୍ଥାର ଏକ ବଡ଼ ଭାଗ ରୁଷ ଓ ଆମେରିକା ଭଳି ଦେଶରୁ ହେଉଥିବା ଆମଦାନୀ ଉପରେ ନିର୍ଭରଶୀଳ ରହିଛି। ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ରୁଷ ଓ ୟୁକ୍ରେନ ମଧ୍ୟରେ ଥିବା ତିକ୍ତତା କିପରି ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରି ପାରିବ।

ଗୋଟିଏ ପଟେ ରୁଷ କହିଛି ଯେ ସେ ଆକ୍ରମଣ କରିବ ନାହିଁ, କିନ୍ତୁ ୟୁକ୍ରେନ ସୀମାରେ ଏହାର ୧ ଲକ୍ଷରୁ ଅଧିକ ସୈନିକ ଅଛନ୍ତି। ଅନ୍ୟପଟେ ବାଇଡେନ୍‌ ଚେତାବନୀ ଦେଇଛନ୍ତି କି, ରୁଷ ଫେବୃଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ପ୍ରବଳ ତିକ୍ତତା ଭିତରେ ୨୦୦ ଆମେରିକୀୟ ସୈନିକ ୟୁକ୍ରେନର ପୋଲାଣ୍ଡ ନିକଟବର୍ତ୍ତୀ ସହର ଲଭିଭ୍‌ପହଞ୍ଚିଛନ୍ତି। ଏହି ସୈନିକମାନେ ୟୁକ୍ରେନର ସେନାକୁ ରକେଟ୍ ଲଞ୍ଚର୍ ଚଲାଇବା ଏବଂ ଅନ୍ୟ ପ୍ରକାରର ଟ୍ରେନିଂ ଦେଉଛନ୍ତି। ପୂର୍ବ ୟୁରୋପ ଏବଂ ପଶ୍ଚିମ ମଧ୍ୟରେ ଲାଗିଥିବା ଏହି ତିକ୍ତତା ପାକିସ୍ତାନ ଉପରେ ଭାରୀ ପଡ଼ିପାରେ।

ଆମେରିକା ନା ରୁଷ୍‌, କାହାକୁ ବାଛିବ ପାକିସ୍ତାନ!

ପାକିସ୍ତାନ ପାଇଁ ଏହା ଉଭୟ ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ଟେନସନର ସମୟ। ବିଶ୍ୱ ଯେଉଁ ଦ୍ୱିପାକ୍ଷିକ ବ୍ୟବସ୍ଥା ଆଡ଼କୁ ଦ୍ରୁତ ଗତିରେ ମାଡ଼ୁଛି, ସେଠି ପାକିସ୍ତାନ ପାଇଁ ନିରପେକ୍ଷ ରହିବା କଷ୍ଟକର ହେବ। ପାକିସ୍ତାନ ରୁଷ ସହିତ ନିଜର ବନ୍ଧୁତା ବଢ଼ାଉଛି, ଏଥିପାଇଁ ମାମଲା ଉପରେ ମନ୍ତବ୍ୟ ନ ଦେଇ ଏହା ରକ୍ଷା ପାଇପାରିବ ନାହିଁ। ପାକିସ୍ତାନକୁ ରୁଷ କିମ୍ବା ଆମେରିକା ମଧ୍ୟରୁ ଗୋଟିଏ ପକ୍ଷରୁ ବାଛିବାକୁ ପଡିବ, ଯାହା ଏହା ପାଇଁ ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ।

ଏକ ପାକିସ୍ତାନୀ ୱେବସାଇଟର ରିପୋର୍ଟ ଅନୁସାରେ, ପାକିସ୍ତାନକୁ ୧୦୦ ଡଲାର ପ୍ରତି ବ୍ୟାରେଲ ତୈଳ ଦାମ୍‌ ପାଇଁ ପ୍ରସ୍ତୁତ ରହିବା ଉଚିତ। ତେଲ ଦର ପୂର୍ବରୁ ହିଁ ୯୦ ଅଙ୍କ ଅତିକ୍ରମ କରିସାରିଛି। ପାକିସ୍ତାନ ସରକାର ଚିନ୍ତିତ ଅଛନ୍ତି, କାହିଁକି ନା, ତୈଳ ଦର ବୃଦ୍ଧି ଯୋଗୁ ଦେଶର ବିକାଶ ସମ୍ଭାବନା ଉପରେ ବିନାଶକାରୀ ପ୍ରଭାବ ପଡ଼ିପାରେ। ରିପୋର୍ଟରେ କୁହାଯାଇଛି, ଯଦି ଆମଦାନୀ ହ୍ରାସ ଏବଂ ରପ୍ତାନୀ ବୃଦ୍ଧି ନ ହୁଏ, ତା’ ହେଲେ ଏହା ଦ୍ୱାରା ପାକିସ୍ତାନୀ ମୁଦ୍ରା ଉପରେ ଚାପ ବଢ଼ିପାରେ ଏବଂ ଏହା ୨୦୦ ଟଙ୍କା ପ୍ରତି ଡଲାର ପର୍ଯ୍ୟନ୍ତ ଯାଇପାରେ।

୨ ବିଲିୟନ ଡଲାରର ଝଟକା ଲାଗିପାରେ

ରିପୋର୍ଟ କହିଛି ଯେ ମୁଦ୍ରାସ୍ଫୀତି ଚାପ ଟୁଥପେଷ୍ଟ ପରି ହେବ, ଯାହା ପଛକୁ ଯାଇ ପାରିବ ନାହିଁ। କିଛି ମାସ ପାଇଁ ବି ଯଦି ତୈଳ ମୂଲ୍ୟରେ ୧୦-୨୦ ଡଲାରର ବୃଦ୍ଧି ହୁଏ, ତା’ ହେଲେ ଏହା ପାକିସ୍ତାନ ଭଣ୍ଡାରକୁ ୧ରୁ ୨ ବିଲିୟନ ଡଲାରର ଝଟକା ଦେଇପାରେ। ଏହାଦ୍ୱାରା ପାକିସ୍ତାନର କ୍ରୟ କ୍ଷମତାକୁ ବଡ଼ କ୍ଷତି ହେବ ବୋଲି କୁହାଯାଉଛି।