Below header

ଭକ୍ତିରେ ଭଗବାନ, ମୁମ୍ବାଇରୁ ଅଯୋଧ୍ୟାକୁ ଚାଲି ଚାଲି ଗଲେ ଶବନମ୍‌

ମୁସ୍‌ଲିମ୍‌ ଯୁବତୀ ମୁମ୍ବାଇରୁ ଅଯୋଧ୍ୟାକୁ ଚାଲି ଚାଲି ଆସିଛନ୍ତି। ୧୪୨୫ କିଲୋମିଟର ପଦଯାତ୍ରା କରି ଅଯୋଧ୍ୟାରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିବେ । ଶବନମ୍‌ଙ୍କ କହିବା ଅନୁଯାୟୀ, ଝିଅ ମାନେ ମଧ୍ୟ ପୁଅଙ୍କ ଠାରୁ କିଛି କମ୍‌ ନୁହେଁ । ସେମାନେ ମଧ୍ୟ ସବୁକିଛି କରିବାର ସାହସ ରଖନ୍ତି ।

ଆଉ କିଛି ଦିନର ଅପେକ୍ଷା। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯିବ। ସେଥିପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଯୁଦ୍ଧକାଳୀନ ଭିତ୍ତିରେ ହେଉଛି କାମ। ଏଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ। ସାରା ବିଶ୍ୱରେ ରାମ ଭକ୍ତମାନେ ମନ୍ଦିର ଉଦ୍‌ଘାଟନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଭକ୍ତମାନେ ରାମ ଲଲ୍ଲାଙ୍କୁ ଉପହାର ମଧ୍ୟ ଦେଉଛନ୍ତି । କିଏ ବିଶ୍ୱ ଘଣ୍ଟା ଦେଉଛି ତ କିଏ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛି । ଏହାରି ଭିତରେ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତଗଣ। ପ୍ରଭୁ ରାମଙ୍କ ଭକ୍ତିରେ ହଜି ଯାଉଛନ୍ତି ବୁଢ଼ା ଠୁ ଆରମ୍ଭ କରି ଟୋକା ପର୍ଯ୍ୟନ୍ତ । ନିକଟରେ ଜଣେ ମୁସ୍‌ଲିମ୍‌ ଯୁବତୀ ମୁମ୍ବାଇରୁ ଅଯୋଧ୍ୟାକୁ ଚାଲି ଚାଲି ଆସିଛନ୍ତି। ୧୪୨୫ କିଲୋମିଟର ପଦଯାତ୍ରା କରି ଅଯୋଧ୍ୟାରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିବେ ।

ଝିଅଟିଏ ସେ ପୁଣି ମୁସଲିମ୍‌ କିନ୍ତୁ ପ୍ରଭୁ ରାମଙ୍କ ପ୍ରତି ରହିଛି ପ୍ରଗାଢ଼ ପ୍ରେମ । ବାସ୍ତବରେ, ମୁମ୍ବାଇର ବାସିନ୍ଦା ହେଉଛନ୍ତି ଶବନମ୍ । ୨୧ ଡିସେମ୍ବରରେ ମୁମ୍ବାଇରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସହକର୍ମୀ ରମଣ ରାଜ ଶର୍ମା ଏବଂ ଭିନେତ ପାଣ୍ଡେ ତାଙ୍କ ସାଥିରେ ଆସିଛନ୍ତି । ସେ କହିଛନ୍ତି , ଜଣେ ମୁସଲମାନ ହୋଇଥିବାରୁ ଗର୍ବିତ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମଙ୍କୁ ପୂଜା କରିବା କିମ୍ବା ବିଶ୍ୱାସ କରିବା ହିନ୍ଦୁ ହେବା ଆବଶ୍ୟକ ନୁହେଁ। କେବଳ ଜଣେ ଭଲ ମଣିଷ ହେବା ଦରକାର । ବର୍ତ୍ତମାନ ଶବନମ୍ ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାର ସେଣ୍ଡୱା ଠାରେ ପହଞ୍ଚିଛି। ସେ ଏବଂ ତାଙ୍କ ସାଥୀମାନେ ପ୍ରତିଦିନ ୨୫ ରୁ ୩୦ କିଲୋମିଟର ଯାତ୍ରା କରୁଛନ୍ତି । ଭଗବାନ ରାମଙ୍କ ପ୍ରତି ଏତେ ବିଶ୍ୱା ସ ରହିଛି ଯେ ସେ ଅଯୋଧ୍ୟାରେ ପହଞ୍ଚିବା ପାଇଁ କୌଣସି ତାରିଖ ସ୍ଥିର କରିନାହାଁନ୍ତି। ତେବେ ଶବନମ୍‌ ଯେବେଠୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ପୋଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଆସିଛି । ତାଙ୍କର ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଶବନମ୍‌ଙ୍କ କହିବା ଅନୁଯାୟୀ, ଝିଅ ମାନେ ମଧ୍ୟ ପୁଅଙ୍କ ଠାରୁ କିଛି କମ୍‌ ନୁହେଁ । ସେମାନେ ମଧ୍ୟ ସବୁକିଛି କରିବାର ସାହସ ରଖନ୍ତି । ତେବେ ଶବନମ୍‌ଙ୍କର ଏହି ଯାତ୍ରାକୁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା କରାଯାଉଥିବା ବେଳେ ତାଙ୍କର ଭକ୍ତିକୁ ଦେଖି ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.