Below header

ନରୱେ ରାଜଧାନୀର ଏକ କ୍ଲବରେ ଆଖିବୁଜା ଗୁଳିଚାଳନା: ୨ ମୃତ, ଅନେକ ଗୁରୁତର

ନରୱେର ରାଜଧାନୀ ଓସଲୋରେ ଆଖିବୁଜା ଗୁଳିଚାଳନା। ଏହି ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ ୨ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ନରୱେ ପୋଲିସ ଏହି ସୂଚନା ଦେଇଛି। ଖବର ଅନୁଯାୟୀ, ଲଣ୍ଡନ କ୍ଲବ ମଧ୍ୟରେ ଏହି ଫାୟାରିଂ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଜଣେ ବ୍ୟକ୍ତି କ୍ଲବ ଭିତରେ ବସି ବନ୍ଧୁକ କାଢି ଆଖିବୁଜା ଗୁଳିଚାଳନା କରିଥିଲା। ଲୋକମାନେ କୌଣସି ପ୍ରକାର ଜୀବନ ବଞ୍ଚାଇ ଏଣେତେଣେ ଦୌଡିଥିଲେ। ହେଲେ ଦୁଇଜଣଙ୍କର ଘଟଣାରେ ପ୍ରାଣ ଚାଲିଯାଇଥିଲା। ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଛି ।

ଲଣ୍ଡନ କ୍ଲବରେ ବହୁତ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଗୁଳିଚାଳନା କରିବା ଯୋଗୁଁ କ୍ଲବରେ ଦୌଡଧାପଡ ହେବାକୁ ଲାଗିଥିଲା। ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାସ୍ଥଳକୁ ଚାରିପଟୁ ବନ୍ଦ କରିଦେଇଥିଲା। ପୋଲିସ ଏହି ବିଷୟରେ କିଛି କହିନାହିଁ। ଏହା ବିଷୟରେ ତଦନ୍ତ ଚଳାଇଛି ପୋଲିସ।

ସୂଚନାଯୋଗ୍ୟ, ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିଲା। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଥିଲା । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ। ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା ।

ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । କିଛିଦିନ ତଳେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ ।

ସେହିପରି ଗତ ମାସରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡ ଖବର ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.