ରୁଷ୍‌ ସହ ଆଲୋଚନା ବେଳେ ଇସ୍ରାଇଲ୍‌ ମଧ୍ୟସ୍ଥି କରୁ, ଆମେ ସମର୍ପଣ କରିବୁନି: ଜେଲେନ୍‌ସ୍କି

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୮ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ୟୁକ୍ରେନ୍‌ର କେତେକ ବଡ଼ ବଡ଼ ସହର ଧ୍ୱସ୍ତ ସ୍ତୁପରେ ପରିଣତ ହୋଇଛି। ତେବେ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ରୁଷ ଓ ତାଙ୍କ ଆଲୋଚନା ମଧ୍ୟରେ ଇସ୍ରାଇଲ୍‌ ମଧ୍ୟସ୍ଥତା କରୁ ବୋଲି ଚାହୁଁଥିବା କହିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ଯୁଦ୍ଧ ବିରାମ ହେଲେ ଇସ୍ରାଇଲ୍‌ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ କଥା ବାର୍ତ୍ତା ପାଇଁ ପ୍ରସ୍ତୁତ ଅଛନ୍ତି। ଶନିବାର ଦିନ ଜେଲେନ୍‌ସ୍କି କହିଛନ୍ତି, ସେ ଇସ୍ରାଇଲର ପ୍ରଧାନମନ୍ତ୍ରୀ ନଫ୍‌ତାଲୀ ବେନେଟ୍‌ଙ୍କୁ କହିଛନ୍ତି ଯେ ସେ ୟରୁଶଲମ୍‌ଠାରେ ପୁଟିନ୍‌ଙ୍କୁ ଭେଟିବାକୁ ପ୍ରସ୍ତୁତ ଅଛନ୍ତି। ବେନେଟ୍‌ ପୁଟିନ୍‌ଙ୍କ ସହ ଆଲୋଚନା କରିବା ପାଇଁ ମସ୍କୋ ଗସ୍ତ କରିଛନ୍ତି। ସେହିପରି ଜେଲେନ୍‌ସ୍କି ଇତି ମଧ୍ୟରେ ଫ୍ରାନ୍ସ ଓ ଜର୍ମାନୀର ନେତାଙ୍କ ସହ ମଧ୍ୟ ଏକାଧିକ ଥର ଆଲୋଚନା କରିଛନ୍ତି।

ଜେଲେନ୍‌ସ୍କି କହିଛନ୍ତି, ବେନେଟ୍‌ ତାଙ୍କୁ ପୁଟିନ୍‌ଙ୍କ ସହ ଆଲୋଚନା ବିଷୟରେ ଅବଗତ କରାଇଛନ୍ତି। କିନ୍ତୁ ପ୍ରକୃତରେ ସେମାନଙ୍କ ମଧ୍ୟରେ କି ଆଲୋଚନା ହୋଇଛି ଜେଲେନ୍‌ସ୍କି ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ପୂର୍ବରୁ ପୁଟିନ୍‌ ଅନେକ ଥର ଜେଲେନ୍‌ସ୍କିଙ୍କ ପ୍ରସ୍ତାବକୁ ଅଣଦେଖା କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍‌ସ୍କି କହିଥିଲେ, ରୁଷ୍‌ ଯଦି ଆମ ସମସ୍ତଙ୍କୁ ହତ୍ୟା କରିବ ତା’ ହେଲେ ଯାଇଁ ୟୁକ୍ରେନ୍‌ର ରାଜଧାନୀ ଉପରେ କବ୍‌ଜା କରିପାରିବ। ଯଦି ରୁଷ୍‌ ଆମକୁ ମାରିବାକୁ ଚାହୁଁଛି, ତେବେ ତାଙ୍କୁ ଆଗକୁ ବଢ଼ିବାକୁ ଦିଅ। ଆମେ କିନ୍ତୁ ପଛକୁ ହଟିବୁ ନାହିଁ। ରୁଷ୍‌ ଯଦି କିଭ୍‌ରେ ବୋମାବର୍ଷଣ କରିବ ତେବେ ପୂରା ଦେଶର ଐତିହାସିକ ସ୍ମୃତିକୁ ଧୂଳିସାତ୍‌ କରିଦେବ ଓ ପୃଥିବୀ ମାନଚିତ୍ରରୁ ୟୁକ୍ରେନ୍‌ ସବୁଦିନ ପାଇଁ ଲିଭିଯିବ ବୋଲି କହିଛନ୍ତି ଜେଲେନ୍‌ସ୍କି।