ଷ୍ଟ୍ରିଟ୍ ଲାଇଟ୍ ତଳେ ହୋମ୍ଓ୍ଵାର୍କ କରୁଥିଲା ପିଲାଟି, ଭିଡିଓ ଭାଇରାଲ ହୋଇଗଲା ଆଉ ତା ପରେ…..

ଷ୍ଟ୍ରିଟ ଲାଇଟ ତଳେ ପାଠ ପଢ଼ୁଥିବା ୧୨ ବର୍ଷ ପିଲାର ଭିଡିଓ ଯେବେ ଫେସ୍ବୁକରେ ଭାଇରଲ ହେଲା ପରଦିନ ତା ଘରେ ପହଁଚି ଗଲେ ମେୟର। ଭିଡିଓଟି ଥିଲା ପେରୁ ମୋଚେ ଅଞ୍ଚଳର । ପୋଲିସ ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି ଫୁଟେଜକୁ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରୁଥିଲା ବେଳେ ପ୍ରଥମେ କିଛି ଅପରାଧିକ ଘଟଣା ଭାବି ସନ୍ଦେହ କଲା । ପୁଣି ଜୁମ୍ କରି ନିକଟରୁ ଭଲ ଭାବେ ଦେଖିଲା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଷ୍ଟ୍ରିଟ୍ ଲାଇଟ୍ ତଳେ ପିଲାଟି ହୋମ୍ଓ୍ଵାର୍କ କରୁଥିଲା ।
ପାଠ ପଢ଼ାକୁ ନେଇ ପିଲାର ନିଷ୍ଠା ପୋଲିସ୍ ଅଫିସରଙ୍କ ମନକୁ ଛୁଇଁଗଲା। ସଂଗେ ସଂଗେ ପୋଲିସ୍ ତାର ଅଫିସିଆଲ ଫେସବୁକର ସାଇଟରେ ଭିଡିଓଟିକୁ ସେୟାର କରିଦେଲେ । ଭିଡିଓକୁ ଦେଖିବା ମାତ୍ରେ ଘରେ ପହଞ୍ଚି ଗଲେ ମେୟର । ଅତି ଦରିଦ୍ର ପରିବାର ଥିଲା । ଘରେ ବିଜୁଳି ମଧ୍ୟ ନଥିଲା । ତେଣୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବାକୁ ଭରସା ଦେଲେ ମେୟର ।
ସେହିଭଳି ଖବର ପାଇବା ପରେ ଗଣମାଧ୍ୟମ ପହଞ୍ଚି ଯାଇଥିଲା ପିଲାଟିର ଘରେ । ଆଉ ତା ବିଷୟରେ ଓ ତା ଘରର ପରିସ୍ଥିତି ସମ୍ପର୍କରେ ପ୍ରଚାର ହୋଇଗଲା । ଏହି ୧୨ ବର୍ଷର ପିଲାଟି ନାଁ ହେଉଛି ଭିକ୍ଟର ମାର୍ଟିନ୍ ଏଙ୍ଗଲ୍ୟୁ । ତା ମା କହିଛନ୍ତି ଯେ ଦିନରେ ସେ ପାଠ ପଢ଼ା କରି ଦିଏ । ହେଲେ ସେଦିନ କରି ନପାରିବାରୁ ଷ୍ଟ୍ରିଟ୍ ଲାଇଟ୍ ତଳେ ପଢ଼ା ଶେଷ କରୁଥିଲା ।
ଭିକ୍ଟର୍ର ଭିଡିଓ ସାରା ବିଶ୍ୱରେ ପ୍ରସାରିତ ହୋଇଗଲା । ୫୦ ଲକ୍ଷରୁ ଅଧିକ ଲୋକ ସୋସିଆଲ ମିଡିଆରେ ଦେଖି ସାରିଲେଣି । ଭିକ୍ଟର କହିଛି, ମେୟର ତାଙ୍କ ପ୍ରତିଶ୍ରୁତି ରଖିଲେ ମୁଁ ଖୁସି ହେବି । କାରଣ ମୁଁ ଘର ଭିତରେ ବସି ପାଠ ପଢ଼ି ପାରିବି । ସେ ଆହୁରି କହିଛି ଯେ ଘରେ ଯେଭଳି ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ସେଥିଲାଗି ମୁଁ ନିଜକୁ ସମର୍ଥ କରିବାକୁ ଚାହୁଁଛି । ମୋର ପୋଲିସ ଚାକିରି କରିବାକୁ ଇଚ୍ଛା । ଯାହା ଦ୍ୱାରା ମୁଁ ଦୁର୍ନୀତିକୁ ଦୂର କରି ପାରିବି ।